ସମ୍ବଲପୁର,୦୫/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ରେଙ୍ଗାଲି ଜୁହାର ଭେଟ କମିଟି ପକ୍ଷରୁ ଆମ୍ବେଦକର ବାଇପାସ୍ ଛକସ୍ଥିତ ମଙ୍ଗଳବାର ବଜାର ପ୍ରାଙ୍ଗଣର ଖୋଲା ପେଣ୍ଡାଲରେ ନୂଆଁଖାଇ ଜୁହାର ଭେଟ ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। କମିଟି ସଭାପତି ଅନ୍ତର୍ଯ୍ୟାମୀ ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥିମାନେ ମା’ ସମଲେଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମା’ ସମଲେଇଙ୍କ ଭଜନ ପରିବେଷଣରେ ଉତ୍ସବସ୍ଥଳ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଥିଲା।ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଓ ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ନାୟକ ଯୋଗଦେଇ ନୂଆଁଖାଇ ପର୍ବ ଭାଇଚାରା, ଏକତା, ବରିଷ୍ଠଙ୍କ ପ୍ରତି ସମ୍ମାନ ଓ ସମ୍ବଲପୁରୀ ଅସ୍ମିତାକୁ ଆଗେଇ ନେବାରେ ସହାୟକ ବୋଲି କହିଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱକୁ ସ୍ମରଣ କରି ସେ ପଶ୍ଚିମ ଓଡ଼ିଶା ପରିଷଦକୁ କ୍ରିୟାଶୀଳ କରିବା ଉପରେ ମତ ରଖିଥିଲେ। ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ପୂର୍ବତନ ବିଧାୟକ ନାଉରୀ ନାୟକ ଓ ଦୁର୍ଯ୍ୟୋଧନ ଗରଡିଆ, ବ୍ଲକ୍ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ନିମାଇଁ ପଣ୍ଡା, ଅମରେଶ ପଣ୍ଡା, ଦିଲୀପ ଦୂରିଆ ଓ ଡ. ନରେଶ ସାହୁଙ୍କ ସମେତ ଅନ୍ୟ ଅତିଥିମାନେ ମଞ୍ଚାସୀନ ଥିଲେ। ସେମାନେ ଭାଷା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଦଳମତ ନିର୍ବିଶେଷରେ ଏପରି ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ନାୟକଙ୍କୁ ମାନପତ୍ର ଏବଂ ଅତିଥିମାନଙ୍କୁ ଟ୍ରଫି ଓ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା। କବି ଉତ୍ତମ ପ୍ରଧାନଙ୍କ ସମ୍ବଲପୁରୀ ପୁସ୍ତକ ‘ଗାଁରେ ତ୍ରିନାଥ ମେଳା’ ଉନ୍ମୋଚିତ ହୋଇଥିଲା। ହାସ୍ୟକବିଙ୍କ କବିତା ପାଠ, ବରଗଡ଼ର ଦିବ୍ୟରୂପା କଳା ପରିଷଦର ସାଂସ୍କୃତିକ ପରିବେଷଣ ଓ ମେଲୋଡି ସଙ୍ଗୀତ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଶ୍ରୋତା ଉତ୍ସବକୁ ଉପଭୋଗ କରିଥିଲେ। ମନୋଜ ନାୟକ ଓ ଗଗନ ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଉପସଭାପତି କୃଷ୍ଣ ମେହେର ଓ ବିରଞ୍ଚି ବିଶ୍ୱାଳ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିବାବେଳେ, ସମ୍ପାଦକ ରାଧେଶ୍ୟାମ ବାଗ ଧନ୍ୟବାଦ ଅର୍ପଣ କରିଥିଲେ

