ସମ୍ବଲପୁର,୦୫/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲାରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି ଅଲ୍ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ। ପଦୋନ୍ନତି ପ୍ରକ୍ରିୟାର ଯାଞ୍ଚ କରିବା ସହ ଜାଲିଆତି କରିଥିବା ଅଭିଯୋଗ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ଦାବି କରିଛି।ସଂଘର ଅଭିଯୋଗ ଅନୁଯାୟୀ, ଜିଲ୍ଲାରେ କାର୍ଯ୍ୟରତ କିଛି ଶିକ୍ଷକ ଚାକିରି ସମୟରେ ଉଚ୍ଚଶିକ୍ଷା ହାସଲ କରିଥିବା ଦର୍ଶାଇ ପଦୋନ୍ନତି ପ୍ରସଙ୍ଗରେ ଅନିୟମିତତା କରିଛନ୍ତି। ଏହି ମାମଲାରେ ଶିକ୍ଷା ନିର୍ଦ୍ଦେଶାଳୟର ୬ ମେ ୨୦୨୩ର ନିର୍ଦ୍ଦେଶ ଏବଂ ଓସିଏସ୍ (ସିସିଏ) ନିୟମ, ୧୯୬୨ ଅନୁଯାୟୀ ତଦନ୍ତ ଓ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଉନଥିବା ସଂଘ କହିଛି।ମହାସଂଘର ରାଜ୍ୟ ସାଧାରଣ ସମ୍ପାଦକ ବବୃବାହନ ଭୋଇ ଏହି ପଦୋନ୍ନତି ପ୍ରକ୍ରିୟାର ଯାଞ୍ଚ କରିବା ଏବଂ ଅଭିଯୋଗର ସତ୍ୟତା ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ସମ୍ବଲପୁର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦିଆଯାଇଛି

