ରାଉରକେଲା ୬/୧୦,(ଉତ୍କଳ ସମାଚାର) ୨୦୨୬ ଅକ୍ଟୋବର ୮ରେ ଇଣ୍ଡିଆ ବ୍ଲକ୍ ଆହ୍ବାନରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଏମ୍.ଏମ୍.ଡି.ଆର୍ ସଂଶୋଧନ ଆଇନ୍-୨୦୨୬ ରଦ୍ଦ କରିବା ପାଇଁ ଆହ୍ବାନ ଦିଆଯାଇଛି। ଏହି ଆଇନ ଫଳରେ ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ସହ ଓଡ଼ିଶାର ସ୍ୱାର୍ଥ ଭୁଲୁଣ୍ଠିତ ହୋଇଯିବ ବୋଲି ଇଣ୍ଡିଆ ବ୍ଲକ ପକ୍ଷରୁ କୁହାଯାଇଛି। ସୁପ୍ରିମ୍ କୋର୍ଟଙ୍କ ରାୟ, ଯାହା ଓଡ଼ିଶାର ସ୍ୱାର୍ଥକୁ ରକ୍ଷା କରୁଥିଲା ତାହା ଧୂଳିସାତ ହେବା ସହିତ ରାଜ୍ୟ ହଜାର ହଜାର କୋଟି ଟଙ୍କାରରାଜସ୍ବ ହରାଇବ ଏବଂ ପୂର୍ବରୁ ବକେୟା ଥିବା ଦେଢଲକ୍ଷକୋଟି ଟଙ୍କାର ରାଜସ୍ବ ଓଡିଶା ହାତରୁ ଛଡ଼ାଇ ନିଆଯାଇଛି ବୋଲି ଇଣ୍ଡିଆ ବ୍ଲକ ପକ୍ଷରୁ କୁହାଯାଇଛି। ଓଡିଶାର ସ୍ୱାର୍ଥ ଓ ସ୍ବାଭିମାନର ରକ୍ଷା କରିବାପାଇଁ ଏହି ଆଇନକୁ ରଦ୍ଦ କରାଯିବା ପାଇଁ ଦାବି କରାଯାଇଛି। ଗଣତନ୍ତ୍ରର ହତ୍ୟାକାରୀ ମୁଖ୍ୟ ନିର୍ବାଚନ କମିଶନର୍ ଜ୍ଞାନେଶ୍ କୁମାରଙ୍କୁ ବହିଷ୍କାର କରିବା ପାଇଁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦାବି କରାଯିବା ସହିତ ଭୋଟ୍ ଚୋରି ସଂପର୍କରେ ଆଗରୁ ଯାହା ଚର୍ଚ୍ଚା ହେଉଥିଲା ତାହା ଆଜି ପ୍ରମାଣିତ ହୋଇଛି ବୋଲି ଦାବି କରାଯାଇଛି। ନିର୍ବାଚନ କମିଶନ୍ରେ ଥିବା ୨ଜଣ ସଦସ୍ୟ ସୁଖବିର ସିଂ ସାନ୍ଧୁ ଏବଂ ବିବେକ୍ ଯୋଶୀ ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ୍ କୁମାରଙ୍କର ଆପତ୍ତିଜନକ କାର୍ଯ୍ୟ ବିରୁଦ୍ଧରେ ଏସ୍.ଆଇ.ଆର୍. କାର୍ଯ୍ଯ ଚାଲିଥିବା ଦଶମାସ ମଧ୍ୟରେ ଚଉଦ ଥର ଆପତ୍ତି ଜଣାଇଥିଲେ ମଧ୍ୟ ଜ୍ଞାନେଶ୍ କୁମାର କୌଣସି କଥାକୁ କର୍ଣ୍ଣପାତ କରିନଥିଲେ ଏବଂ ୧୩କୋଟି ଭୋଟରଙ୍କର ନାମ ଭୋଟର ତାଲିକାରୁ ବାଦ୍ ଦେଇଥିଲେ ଓ ଫର୍ମ-୬ରେ ଅଗଣତାନ୍ତ୍ରିକ ଭାବରେ ବଦଳ କରାଯାଇଥିଲା । ଏହା ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ପ୍ରକାଶିତ ହେବାପରେ କେନ୍ଦ୍ର ସରକାର ଏବଂ ଜ୍ଞାନେଶ୍ କୁମାରଙ୍କର ଅସଲ ଚେହେରା ପଦାରେ ପଡିଛି ତେଣୁ ଗଣତନ୍ତ୍ରର ହତ୍ୟାକାରୀ ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରାଯିବା ପାଇଁ ଦାବି ଯାଇଛି। ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ପାଇଁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଦାବି କରାଯାଇଛି। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ରସାତଳଗାମୀ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଞ୍ଚାବନଟି ବହିରେ ୧୭୪୧ଟି ଭୁଲ ଏବଂ ତାକୁ ବଦଳାଯାଇ ନପାରିବା କିମ୍ବା ନିର୍ଭୁଲ ବହି ଯୋଗାଇବାରେ ବ୍ୟର୍ଥ ଓଡିଶା ସରକାରର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଚୁପଚାପ୍ ବସିଛନ୍ତି ବୋଲି ଇଣ୍ଡିଆ ବ୍ଲକ ପକ୍ଷରୁ ଅଭିଯୋଗ କରାଯାଇଛି। ଚଳିତ ଶିକ୍ଷାବର୍ଷର ସାତମାସ ଧରି ଛାତ୍ରଛାତ୍ରୀମାନେ ତୃଟିପୂର୍ଣ୍ଣ ବହି ପଢୁଛନ୍ତି । ଏହି ତୃଟିପୂର୍ଣ୍ଣ ବହି ଛପାଇ ସରକାର ରାଜକୋଷରୁ ୩୮୦କୋଟି ଟଙ୍କା ବରବାଦ କରିଦେଇଛନ୍ତି ବୋଲି ଅଭିଯୋଗ କରାଯାଇଛି। ଏଣୁ ଶିକ୍ଷା ବ୍ୟବସ୍ଥାକୁ ତଳିତଳାନ୍ତ କରିଥିବା ଓଡ଼ିଶା ସରକାରଙ୍କର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଇଣ୍ଡିଆ ବ୍ଲକ ପକ୍ଷରୁ ଦାବି କରାଯାଇଛି। ବନ୍ୟା ପ୍ରପୀଡ଼ିତଙ୍କୁ ତୁରନ୍ତ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ଇଣ୍ଡିଆ ବ୍ଲକ ପକ୍ଷରୁ ଦାବି କରାଯାଇଛି। ରାଜ୍ୟର ଅନେକ ଉପକୂଳବର୍ତ୍ତୀ ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରଭୃତ କ୍ଷୟକ୍ଷତି ହେବା ସହିତ ଜନଜୀବନ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ଏହି ସମୟରେ ତାର ମୁକାବିଲା କରି ଲୋକଙ୍କୁ ସହାୟତା ଯୋଗାଇଦେବା ପରିବର୍ତ୍ତେ ବିଜେପିର ନେତାମନ୍ତ୍ରୀମାନେ ଦିଲ୍ଲୀରେ ଭୋଜି କରି ମଉଜ ମଜଲିସ୍ରେ ମାତିଛନ୍ତି ବୋଲି ଇଣ୍ଡିଆ ବ୍ଲକ ପକ୍ଷରୁ ଦାବି କରାଯାଇଛି। ଏହି ସମସ୍ତ ଦାବି ଆଦାୟ ପାଇଁ ଅକ୍ଟୋବର ୮ ତାରିଖ ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ଓଡ଼ିଶା ବନ୍ଦର ଡାକରା ଦିଆଯାଇଛି । ନିଜ ରାଜ୍ୟର ସ୍ବାର୍ଥ ଓ ସ୍ବାଭିମାନର ରକ୍ଷା ପାଇଁ ଏହି ବନ୍ଦକୁ ସଫଳ କରିବାପାଇଁ ଗଠବନ୍ଧନ ପକ୍ଷରୁ ଆହ୍ଵାନ ଦିଆଯାଇଛି। ହି ୧୨ ଘଣ୍ଟିଆ ବନ୍ଦ ଡାକରାରେ ଇଣ୍ଡିଆ ଗଠବନ୍ଧନରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ(ଏମ୍), ସି.ପି.ଆଇ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଭାଗ ନେଉଛନ୍ତି ବୋଲି ଆଜି ରାଉରକେଲା ସେକ୍ଟର-୧୬ ଶ୍ରମିକ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ରାଉରକେଲା ଜିଲ୍ଲା ସଭାପତି ସବୀର ହୁସେନ, ରାଜ୍ୟ ପର୍ଯ୍ୟବେକ୍ଷକ ରାମଚନ୍ଦ୍ର ହାଁସଦା ଓ ଶ୍ରୀୟାସ୍ମିତା ପଣ୍ଡା, ପ୍ରମୋଦ ପ୍ରଧାନ, ଗଣେଶ ଚନ୍ଦ୍ର ସାହୁ, ଜ୍ଞାନେନ୍ଦ୍ର ଦାସ, ଖଦାଳ ସେଠୀଙ୍କ ସମେତ ସିପିଆଇ(ଏମ୍)ର ରାଜ୍ୟ କମିଟି ସଭ୍ୟ ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି ଓ ରାଜକିଶୋର ପ୍ରଧାନ, ଜିଲ୍ଲା କମିଟି ସଭ୍ୟ ବସନ୍ତ ନାୟକ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୋଷ ମହାନ୍ତି, ସଦାନନ୍ଦ ସାହୁ, ରମେଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

