ରାଉରକେଲା ୬/୧୦,(ଉତ୍କଳ ସମାଚାର) ରାଉରକେଲା ମହାନଗର ନିଗମ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ରାଜ୍ୟ ସଂଘ ପକ୍ଷରୁ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ପାନପୋଷ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସରକାରଙ୍କ ଠାରେ ଉପସ୍ଥାପିତ ପାଚିକାଙ୍କ ସର୍ବନିମ୍ନ ୭ ଦଫା ଦାବି ପୂରଣ ହୋଇନଥିବା ବେଳେ, ପାଚିକା ମାଆମାନେ କରିଥିବା କାମ ପାଇଁ ୩ ମାସର ପ୍ରାପ୍ୟ ନ ମିଳିବା ପ୍ରତିବାଦରେ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ବିଜୁ ସାମୁଖ୍ୟ ସହବନ୍ଧିତ ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚକ ପାଚିକା ରାଜ୍ୟସଂଘ ଆନୁକୂଲ୍ୟରେ ରାଉରକେଲା ମହାନଗର ନିଗମର ସମସ୍ତ ମଧ୍ୟାହ୍ନ ଭୋଜନ ପାଚକ ପାଚିକାମାନେ, ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୩୦ ବର୍ଷ ଧରି କଠିନ ପରିଶ୍ରମ କରି ମଧ୍ୟାହ୍ନଭୋଜନ ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କରିଆସୁଥିଲେ ଏବଂ ସେଥିପାଇଁ ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଦାବି କରିଆସୁଥିଲେ ମଧ୍ୟ ଅଦ୍ୟାବଧି ମାସକୁ ମାତ୍ର ୩ ହଜାର ଟଙ୍କା, ଯାହାକି ଦୈନିକ ପାରିଶ୍ରମିକ ୧୦୦ ଟଙ୍କା ହୋଇଥିବା ବେଳେ, ସଂଘ ପକ୍ଷରୁ ସର୍ବନିମ୍ନ ପାରିଶ୍ରମିକ ୪୭୨ ଟଙ୍କା ସହ ଅନ୍ୟାନ୍ୟ ୭ ଦଫା ଦାବି ପୂରଣ କରିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେହି ଦାବିକୁ କେହି କର୍ଣ୍ଣପାତ କରୁନାହାନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଗତ ତିନି ମାସ ଧରି ପାଚକ ପାଚିକା କରିଥିବା କାର୍ଯ୍ୟର ମାସିକ ପ୍ରାପ୍ୟ ସରକାରଙ୍କ ପକ୍ଷରୁ ବକେୟା ରଖାଯାଇଛି। ଏଭଳି ଏକ ଦୁଃଖଦ ପରିସ୍ଥିତିରେ ପାଚକ ପାଚିକା ରାଜ୍ୟ ସଂଘ ପକ୍ଷରୁ ମୌଳିକ ୭ ଦଫା ଦାବିକୁ ପୂରଣ କରିବା ସହିତ ପୂଜା ପୂର୍ବରୁ ସମସ୍ତ ପାଚକ ପାଚିକାଙ୍କ ବକେୟା ଦରମା ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି। ଏହାର ବ୍ୟତିକ୍ରମ ହେଲେ ସମଗ୍ର ଓଡ଼ିଶାରୁ ପାଚକ ପାଚିକାମାନେ ଜୋର୍ଦାର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ସଂଘ ପକ୍ଷରୁ ବୋଲି ଚେତାବନୀ ଦିଆଯାଇଛି। ୭ ଦଫା ଦାବି ମଧ୍ୟରେ ରହିଛି ଦୀର୍ଘ ୩୦ ବର୍ଷ ଧରି ମଧ୍ୟାହ୍ନଭୋଜନ କାର୍ଯ୍ୟକୁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଥିବା ମାଆମାନଙ୍କୁ ତୁରନ୍ତ ନିଯୁକ୍ତିପତ୍ର ସହିତ ପରିଚୟ ପତ୍ର ପ୍ରଦାନ। ପାଚିକା ସହାୟିକା ମାଆମାନେ ସ୍କୁଲ୍ରେ ୮ଟାରୁ ପ୍ରବେଶ କରି ସ୍କୁଲ୍ ସଫା ସୁତୁରା ସହିତ ଜଳ ଯୋଗାଣ, ପରିବେଶ ସୁରକ୍ଷା, ମଧ୍ୟାହ୍ନଭୋଜ ଭଳି ସାମଗ୍ରିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପାରିଶ୍ରମିକ ମାତ୍ର ୧୦୦ ଟଙ୍କା ଦିଆଯାଉଥିବା ବେଳେ ତାହାକୁ ପରିବର୍ତନ କରି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ୪୭୨ ଟଙ୍କା ହିସାବରେ ମାସିକ ୧୪,୧୬୦ ଟଙ୍କାରୁ ଊର୍ଦ୍ଧ୍ବ ଦରମା ପ୍ରଦାନ। ତୁରନ୍ତ ସ୍କୁଲ୍ ମ୍ୟାନେଜ୍ମେଣ୍ଟ କମିଟି ନିକଟରୁ ମାଆମାନଙ୍କର ନିୟନ୍ତ୍ରଣ ବ୍ୟବସ୍ଥାକୁ ମୁକ୍ତ କରାଯାଇ ସରକାର ଶିକ୍ଷା ବିଭାଗ ନିଯୁକ୍ତି ଓ ପ୍ରତ୍ୟାହାର ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ୨୦୧୮ ମସିହାରେ ଘୋଷିତ ଦରମା ଯାହାକି ୨୦୦୦ଟଙ୍କା ଘୋଷଣା କରାଯାଇ ୧୪୦୦ ଟଙ୍କା ଦିଆଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ୨୦୦୦ ଟଙ୍କା ଘୋଷଣା କରାଯାଇ ପୂର୍ବ ବକେୟାକୁ ବନ୍ଦ ରଖାଯାଇଥିବା ଦରମା ପ୍ରାୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ବକେୟା ପ୍ରାପ୍ୟ ତୁରନ୍ତ ଦେବାକୁ ଦାବି କରାଯାଇଛି। ୧୦୦ ଟଙ୍କାରୁ ଆରମ୍ଭ କରି ଖୁବ୍ କମ୍ ଦରମାରେ ମଧ୍ୟାହ୍ନଭୋଜନ ଯୋଗାଇ ଆସୁଥିବା ମାଆମାନଙ୍କୁ ୬୦ ବର୍ଷ ବୟସର ଆଳ ଦେଖାଇ ବାହାର କରାଯାଉଥିବା ବେଳେ ପୁନଃ ସେମାନଙ୍କ ପରିବାରର ଜଣକୁ ନିଯୁକ୍ତି ଦିଆଯିବା ସଂଗେ ସଂଗେ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହେଲେ ଦେବାକୁ ଥିବା ୧ ଲକ୍ଷ ଟଙ୍କାକୁ ଅବସରକାଳୀନ ଭତ୍ତା ସ୍ବରୂପ ଦେବା ପାଇଁ ଦାବି କରାଯାଇଛି। ବର୍ତ୍ତମାନ ଦିଆଯାଉଥିବା ସମୁଦ୍ରକୁ ଶଙ୍ଖେ ସ୍ବରୂପ ଦରମା କେବେବି ମାସର ପ୍ରଥମ ସପ୍ତାହରେ ଦିଆଯାଉ ନଥିବା ବେଳେ ତାହାକୁ ମାସର ପ୍ରଥମ ସପ୍ତାହରେ ପ୍ରଦାନ କରାଯିବାକୁ ଦାବି କରାଯାଇଛି।ସମସ୍ତ କ୍ଷେତ୍ରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ୧୨ ମାସର ଦରମା ଦିଆଯାଉଥିବା ବେଳେ କେବଳ ପାଚିକା ମା’ମାନଙ୍କୁ ୧୦ ମାସର ଦିଆଯାଉଥିବା ଦରମାକୁ ପରିବର୍ତ୍ତନ କରାଯାଇ ୧୨ ମାସର ଦରମା ପ୍ରଦାନ କରାଯିବାକୁ ଦାବି କରାଯାଇଛି। ନିଖିଳ ଓଡିଶା ପାଚକ ପାଚିକା ରାଜ୍ୟ ସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ବାଇଁ, ରାଜ୍ୟ ଉପସଭାପତି ଶାନ୍ତି ଲୋହାର, ରାଜ୍ୟ କୋଷାଧ୍ୟକ୍ଷ ସନ୍ଧ୍ୟାରାଣୀ ସ୍ବାଇଁ, ଉପଦେଷ୍ଟା ସନ୍ଧ୍ଯା ଲାକ୍ରା, ଉପଦେଷ୍ଟା ପ୍ରଶାନ୍ତ ସେଠୀଙ୍କ ସମେତ ବାସନ୍ତୀ ସ୍ବାଇଁ, ଫରଜାନୋ ବାନୋ, ଜ୍ୟୋତି କୁଜୁର, ରେଖା ଦେବୀ, ସସ୍ମିତା ନାୟକ, ମଞ୍ଜୁଋଷ ବାରିକ, ଦଲିତା ସିଂହ, କୁନୀ କୁମ୍ଭାର, ଅଞ୍ଜଳୀ ବାରିକ, ସୀତା ଦେବୀ, ଅନିତା ପ୍ରଧାନ, ବିମଳା କୁଜୁର, ପାର୍ବତୀ ସିଂହ, ଶ୍ରୀମତୀ ଟପ୍ପୋ, ସାବିତ୍ରୀ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

