ସମ୍ବଲପୁର,୦୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଭିଖମପୁର ପ୍ରାଥମିକ ଓ ୟୁଜିଏମ୍ଇ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗିରହିଥିବା ଶିକ୍ଷକ ଅଭାବର ସମାଧାନ ଦାବିରେ ସ୍ଥାନୀୟ ବାସିନ୍ଦା ତଥା ଅଭିଭାବକ ନନ୍ଦକିଶୋର ଅଗ୍ରୱାଲ ସୋମବାର ଠାରୁ ବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଅନଶନ ଆରମ୍ଭ କରିଛନ୍ତି। ପିଲାମାନଙ୍କ ଶିକ୍ଷା ସମସ୍ୟା ପ୍ରତି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି।ଭିଖମପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପ୍ରାୟ ୧୨୦ ବର୍ଷ ପୁରୁଣା। ଏହା ସହ ସଂଲଗ୍ନ ବିଦ୍ୟାଳୟରେ ବାଲବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି। ବର୍ତ୍ତମାନ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଥିବାରୁ ଏତେଗୁଡ଼ିଏ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିୟମିତ ଓ ଗୁଣାତ୍ମକ ଶିକ୍ଷା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।ନନ୍ଦକିଶୋରଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ସମ୍ପର୍କରେ ଗାଁ ଶିକ୍ଷା କମିଟି, ଗ୍ରାମବାସୀ ଓ ଅଭିଭାବକମାନେ ବହୁବାର ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି। ସେ ନିଜେ ମଧ୍ୟ ଅଧିକାରୀଙ୍କୁ ଭେଟି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ପାଇଁ ଅନୁରୋଧ କରିଥିବା କହିଛନ୍ତି। ତାଙ୍କ ସୂଚନା ଅନୁସାରେ, ଜିଲ୍ଲାପାଳ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ମଧ୍ୟ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ବିଦ୍ୟାଳୟକୁ ଶିକ୍ଷକ ଯୋଗାଇଦେବାକୁ ବିଧାୟକ ଆଶ୍ୱାସନ ଦେଇଥିବା ସେ କହିଛନ୍ତି। ଏହାସହ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଛି। ଏପର୍ଯ୍ୟନ୍ତ ଆବଶ୍ୟକ ଶିକ୍ଷକ ବ୍ୟବସ୍ଥା ହୋଇନଥିବା ଅଭିଯୋଗ କରି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରଖିବେ ବୋଲି ନନ୍ଦକିଶୋର କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ସହ ଫୋନ୍ରେ ଯୋଗାଯୋଗ କରାଯାଇଥିଲା। ସେ ପରେ କଥା ହେବେ ବୋଲି କହିଥିବା ଜଣାପଡ଼ିଛି। ବିଦ୍ୟାଳୟର ଶିକ୍ଷକ ଅଭାବ ସମସ୍ୟାର ଶୀଘ୍ର ସମାଧାନ କରି ପିଲାମାନଙ୍କ ନିୟମିତ ପାଠପଢ଼ା ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଓ ଅଭିଭାବକମାନେ ଦାବି କରିଛନ୍ତି I

