ସମ୍ବଲପୁର,୦୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର–ଅନୁଗୋଳ–କଟକ ଜାତୀୟ ରାଜପଥ କରିଡରର ଉନ୍ନତି ଓ ସଡ଼କ ସୁରକ୍ଷା ପାଇଁ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି। ସମ୍ବଲପୁର–କଟକ ଏନଏଚ୍-୫୫କୁ ୬-ଲେନ୍ କରିବା, ଉଭୟ ପାର୍ଶ୍ୱରେ ସର୍ଭିସ୍ ରୋଡ୍ ନିର୍ମାଣ, ଚାରିଟି ଅଣ୍ଡରପାସ୍ ଓ ସମ୍ବଲପୁର ସିଟି ରେଳ ଷ୍ଟେସନ୍ ଛକରେ ଫ୍ଲାଏଓଭର ନିର୍ମାଣ ପାଇଁ ସେ ଅନୁରୋଧ କରିଛନ୍ତି।ବିଜେପି ରାଜ୍ୟ ପ୍ରବକ୍ତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ସୂଚନାନୁସାରେ, ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସମ୍ବଲପୁର–ଅନୁଗୋଳ–କଟକ କରିଡର ପଶ୍ଚିମ ଓଡ଼ିଶାକୁ ରାଜ୍ୟର ପ୍ରମୁଖ ଶିଳ୍ପ, ବାଣିଜ୍ୟିକ ଓ ସହରାଞ୍ଚଳ ସହ ଯୋଡ଼ୁଛି। ଏହି ରାସ୍ତାରେ ଯାତ୍ରୀବାହୀ, ମାଲବାହୀ ଓ ଶିଳ୍ପ ସମ୍ବନ୍ଧୀୟ ଯାନବାହନ ଚଳାଚଳ ବଢ଼ୁଥିବାରୁ ବର୍ତ୍ତମାନର ୪-ଲେନ୍ ରାଜପଥକୁ ୬-ଲେନ୍ କରିବା ସହ ଉଭୟ ପାର୍ଶ୍ୱରେ ଦୁଇ-ଲେନ୍ ବିଶିଷ୍ଟ ସର୍ଭିସ୍ ରୋଡ୍ ନିର୍ମାଣ ଆବଶ୍ୟକ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟାତ ସହଜ ହେବା ସହ ଦୁର୍ଘଟଣା ହ୍ରାସ ପାଇବ। ଏନଏଚ୍-୫୫ର ଅନୁଗୋଳ–ସମ୍ବଲପୁର ସେକ୍ସନ୍ରେ ଖଣିଜ ଓ ବାଣିଜ୍ୟିକ ଯାନବାହନ ଚଳାଚଳ ଯୋଗୁଁ ସ୍ଥାନୀୟ ଲୋକ ଓ ପଦଚାରୀଙ୍କ ପାଇଁ ଦୁର୍ଘଟଣା ଆଶଙ୍କା ବଢ଼ୁଛି। ତେଣୁ ପିଆଇୟୁ, ସମ୍ବଲପୁର ପକ୍ଷରୁ ପ୍ରସ୍ତାବିତ ଜିନ୍ଦଲ ରୋଡ୍, ଜରପଡ଼ା, ଜେରାଙ୍ଗ ଓ ଚାରମାଳଠାରେ ଅଣ୍ଡରପାସ୍ ନିର୍ମାଣ ପାଇଁ ଶୀଘ୍ର ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ଦେବାକୁ ସେ ନିବେଦନ କରିଛନ୍ତି।ଏହାସହ ଏନଏଚ୍-୫୩ ସ୍ଥିତ ସମ୍ବଲପୁର ସିଟି ରେଳ ଷ୍ଟେସନ୍ ଛକରେ ପ୍ରତିଦିନ ଅନେକ ରେଳଯାତ୍ରୀ ରାଜପଥ ପାର ହେଉଥିବାରୁ ସେଠାରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏହି ସ୍ଥାନକୁ ସମ୍ଭାବ୍ୟ ‘ବ୍ଲାକ୍ ସ୍ପଟ୍’ ଭାବେ ଚିହ୍ନଟ କରାଯାଇଥିବାରୁ ନିରାପଦ ଯାତାୟାତ ପାଇଁ ଫ୍ଲାଏଓଭର ନିର୍ମାଣ ପ୍ରସ୍ତାବକୁ ଶୀଘ୍ର ମଞ୍ଜୁରୀ ଦେଇ କାମ ଆରମ୍ଭ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।ଏହି ପ୍ରସ୍ତାବଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରୀ କରାଗଲେ ଓଡ଼ିଶାର ଶିଳ୍ପ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

