ସମ୍ବଲପୁର,୦୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ବୁର୍ଲାରେ ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ମହିଳାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳାକୁ ନେଇ ଏହି ଘଟଣା ଗମ୍ଭୀର ପ୍ରଶ୍ନ ଉଠାଇଛି।ବୁର୍ଲା ଡାଇକ୍ ସମେତ ହୀରାକୁଦ-ସମ୍ବଲପୁର ଅଞ୍ଚଳର ପର୍ଯ୍ୟଟନସ୍ଥଳୀରେ ମହିଳା ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ବିଜେଡି ଦାବି କରିଛି। ପର୍ଯ୍ୟଟନ ବିକାଶ ସହ ଆଇନଶୃଙ୍ଖଳା, ଡ୍ୟାମ୍ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଦିଗରେ ପ୍ରଶାସନ ତତ୍ପର ହେବା ଆବଶ୍ୟକ ବୋଲି ଦଳ କହିଛି।ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଦଳର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ବୁର୍ଲା ଥାନାକୁ ଯାଇ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ଘଟଣାର ନିରପେକ୍ଷ ଓ ଶୀଘ୍ର ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଏବଂ ପୀଡ଼ିତାଙ୍କୁ ନ୍ୟାୟ ସହ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦଳ ଦାବି କରିଛି।ଦଳରେ ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ରାଜ୍ୟ ସାଧାରଣ ସମ୍ପାଦକ ସଂଜିତ ମହାନ୍ତି, ଜିଲ୍ଲା ସଭାନେତ୍ରୀ ସଂଯୁକ୍ତା ମେହେର, ଯୁବ ବିଜେଡି ରାଜ୍ୟ ଉପସଭାପତି ମିଲନ ହୋତା, ସାଧାରଣ ସମ୍ପାଦକ ସୁମିତ ପଟେଲ, ଧର୍ମରାଜ ମରେଇ, ସିପ୍ରା ମହାନ୍ତି, ଉଷା ପ୍ରଧାନ, ପ୍ରଦୀପ ମିଶ୍ର, ନଗର ସଭାପତି ବସନ୍ତ ମିଶ୍ର, ଯୁବ ସଭାପତି ପ୍ରଦ୍ୟୋଷ ମହାନ୍ତି, ଯୁବ ନେତା ଦେବଜ୍ୟୋତି ପଟ୍ଟନାୟକଙ୍କ ସମେତ ଅନ୍ୟ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନେ ଥିଲେ। ପ୍ରତିନିଧିମାନେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ତ୍ୱରିତ ପଦକ୍ଷେପ ଓ ନ୍ୟାୟ ସୁନିଶ୍ଚିତ କରିବାକୁ ଦାବି ଜଣାଇଥିଲେ। ଆଲୋଚନାରେ ବୁର୍ଲା ଆଇଆଇସି, ଏସ୍ଡିପିଓ ଓ ଅତିରିକ୍ତ ଏସ୍ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।ପୀଡ଼ିତାଙ୍କ ସମ୍ମାନ, ଗୋପନୀୟତା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ତଦନ୍ତକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ କରିବା ଆବଶ୍ୟକ ବୋଲି ବିଜେଡି କହିଛି। ଏଥିସହ ବୁର୍ଲା ଓ ହୀରାକୁଦ ଅଞ୍ଚଳର ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ଦଳ ଦାବି କରିଛି I

