ସମ୍ବଲପୁର,୦୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ): “ହମାରି ଆଙ୍ଗନୱାଡ଼ି, ହମାରି ଜିମ୍ମେଦାରୀ” ବିଷୟବସ୍ତୁକୁ ନେଇ ମିଶନ ଶକ୍ତି ଗୃହରେ ୯ମ ରାଷ୍ଟ୍ରୀୟ ପୋଷଣ ମାହ–୨୦୨୬ ପାଳିତ ହୋଇଛି।ଏଥିରେ ୧୫ ଜଣ ଅଙ୍ଗନୱାଡ଼ି ଶିଶୁ, ସମ୍ବଲପୁର ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୬ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ୪ ଜଣ ଶିକ୍ଷକଙ୍କ ସହ ଅଙ୍ଗନୱାଡ଼ି କର୍ମୀ ମିନତୀ ଦାସ, ଗାୟତ୍ରୀ ହୋତା ଓ ଜୟନ୍ତୀ ବୋହିଦାର, ସହାୟିକା ଲିଲିମା ପୋଢ଼ ଓ ହୀରା ମଣିରା ଏବଂ ସ୍ଥାନୀୟ ମହିଳାମାନେ ଯୋଗ ଦେଇଥିଲେ।ରାଷ୍ଟ୍ରୀୟ ସେବା ଯୋଜନା (+୨) କାର୍ଯ୍ୟକ୍ରମ ଅଧିକାରୀ ରଶ୍ମି ପ୍ରିୟା ଗୌଡ଼ ଶିଶୁଙ୍କ ସୁସ୍ଥ ବିକାଶରେ ପୋଷଣର ଗୁରୁତ୍ୱ ଉପରେ ସଚେତନ କରିଥିଲେ। ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ପୋଷଣଭିତ୍ତିକ ପୋଷ୍ଟର ପ୍ରଦର୍ଶନ କରିବା ସହ କୁଇଜ୍ ଆୟୋଜନ କରିଥିଲେ। କୁଇଜ୍ରେ ଭାଗ ନେଇଥିବା ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା।ଚିତ୍ର ପ୍ରସ୍ତୁତ କରିଥିବା ୟାସ୍ରିନ୍ ପରୱିନ୍, ହରିପ୍ରିୟା ଆଚାର୍ଯ୍ୟ, ଉମ୍ମେ କୁଲସୁମ୍, ଶ୍ରୀଜିତା କର୍ମକାର, ସ୍ନେହମୟୀ ପରିଡ଼ା ଓ ନନ୍ଦିନୀ ମାଝୀଙ୍କୁ ପ୍ରଶଂସା କରାଯାଇଥିଲା। ଏହି ଅବସରରେ ସୁଶ୍ରୀ ଶ୍ରଦ୍ଧା ମିଶ୍ର, ଜୟଶ୍ରୀ ସୁନା, ଅର୍ଚ୍ଚନା ମିଶ୍ର, ଆଲିଶା ଓରାମ, ପଲ୍ଲବୀ ସୋହେଲା ଓ ଅଙ୍କିତା ଶୁକ୍ଳା “ହମାରି ଆଙ୍ଗନୱାଡ଼ି, ହମାରି ଜିମ୍ମେଦାରୀ” ଶୀର୍ଷକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। ପରେ ଥିମ୍ ସଙ୍ଗୀତ ପରିବେଷଣ ସହ ଶିଶୁମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।ରଶ୍ମି ପ୍ରିୟା ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଘନଶ୍ୟାମ ଗୁରାଣ୍ଡି ସମନ୍ୱୟ କରିଥିଲେ। ମନୋରଞ୍ଜନ ହରିପାଲ ଉପସ୍ଥାପନା ଓ ସଂଚାଳନା ଦାୟିତ୍ୱ ତୁଲାଇଥିଲେ। ପୁଷ୍ପା ବେହେରା ସହଯୋଗ କରିଥିଲେ। ଶେଷରେ ଘନଶ୍ୟାମ ଗୁରାଣ୍ଡି ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

