ସମ୍ବଲପୁର,୦୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଶିଶୁଙ୍କ ଥାଳିରେ ପୁଷ୍ଟିକର ଆହାର, ମୁହଁରେ ହସ ଏବଂ ଭବିଷ୍ୟତରେ ସୁସ୍ଥ ସମାଜର ସ୍ୱପ୍ନ—ଏହି ବାର୍ତ୍ତା ନେଇ ରେଙ୍ଗାଲି ଏନ୍ଏସି ପକ୍ଷରୁ ଜାମବାହାଲ ଅଙ୍ଗନବାଡ଼ୀ କେନ୍ଦ୍ରରେ ଶିଶୁମାନଙ୍କୁ ପୋଷଣ ଆହାର ବଣ୍ଟନ କରାଯାଇଥିଲା। ଏହା ସହ ଏକ ସମ୍ବର୍ଦ୍ଧନା ସଭା ମଧ୍ୟ ଆୟୋଜିତ ହୋଇଥିଲା।ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ପାଳନ ଅବସରରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନକ୍ରମେ ଏହି ସେବାମୂଳକ କାର୍ଯ୍ୟକ୍ରମ ହୋଇଥିଲା।କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ପୋଷଣ ଆହାର ଦିଆଯିବା ସହ ସୁଷମ ଓ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଥିଲା। ଶିଶୁ ଅବସ୍ଥାରେ ଉପଯୁକ୍ତ ପୋଷଣ ହିଁ ସୁସ୍ଥ ଓ ସକ୍ଷମ ନାଗରିକ ଗଢ଼ିବାର ମୂଳଦୁଆ ବୋଲି ବକ୍ତାମାନେ କହିଥିଲେ।ଏହି ଅବସରରେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରି ନାଏକ ଯୋଗଦେଇ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁଙ୍କ ସ୍ୱାସ୍ଥ୍ୟ ଓ ପୋଷଣ କେବଳ ପରିବାରର ଦାୟିତ୍ୱ ନୁହେଁ; ସମାଜର ପ୍ରତ୍ୟେକ ବର୍ଗ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ।ସମାଜସେବା ଓ ସମାଜ ଗଠନରେ ସକ୍ରିୟ ଭୂମିକା ନେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ତୃଣମୂଳ ସ୍ତରରେ ସ୍ୱାବଲମ୍ବନ, ସେବା ଓ ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ସେମାନଙ୍କ ଅବଦାନକୁ ସଭାରେ ପ୍ରଶଂସା କରାଯାଇଥିଲା।କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଯୁଗଳ କିଶୋର ଅଗ୍ରୱାଲ, ବିଜେପି ଯୁବ ମୋର୍ଚ୍ଚାର ସାମାଜିକ ଗଣମାଧ୍ୟମ ରାଜ୍ୟ ମୁଖ୍ୟ ସଂଯୋଜକ ଉତ୍ତମ ବିଶ୍ୱାଳ, ନବୀନ ପ୍ରଧାନ, ମଣ୍ଡଳ ସଭାପତି ଟିକୁ ମେହେର, ନିତିନ ଅଗ୍ରୱାଲ, ସୁନିଲ ଦାସ, ସମ୍ବୁଲାଲ ଅଗ୍ରୱାଲ ଓ ସଜନ ଅଗ୍ରୱାଲଙ୍କ ସମେତ ରେଙ୍ଗାଲି ବ୍ଲକ୍ର କର୍ମଚାରୀ, ରେଙ୍ଗାଲି ଏନ୍ଏସିର ସଦସ୍ୟ, ଅଙ୍ଗନବାଡ଼ୀ କର୍ମୀ, SHG ସଦସ୍ୟା ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I

