ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ନେଦରଲ୍ୟାଣ୍ଡର ଆଲମେରେ ସହରରେ ପଶ୍ଚିମ ଓଡ଼ିଶାର ପ୍ରବାସୀ ଓଡ଼ିଆମାନଙ୍କ ୧୧ତମ ନୂଆଖାଇ ଭେଟଘାଟ “ଆମର ପରବ୍, ଆମର ଗରବ୍” ଉତ୍ସାହ ଓ ଧୂମଧାମରେ ପାଳିତ ହୋଇଥିଲା। Western Odisha Community in Netherlands ‘ମୁହୁରୀ’ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ନେଦରଲ୍ୟାଣ୍ଡର ବିଭିନ୍ନ ଅଞ୍ଚଳରୁ ପଶ୍ଚିମ ଓଡ଼ିଶାର ପରିବାରମାନେ ଏକାଠି ହୋଇ ନୂଆଖାଇର ପରମ୍ପରା, ଭାଇଚାରା ଓ ଆନନ୍ଦକୁ ବାଣ୍ଟିଥିଲେ।ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ଓ ନୂଆ ଅନ୍ନ ଭୋଗ ଅର୍ପଣ ପରେ ସମସ୍ତେ ମିଳିତ ଭାବେ ନବାନ୍ନ ଭକ୍ଷଣ କରିଥିଲେ। ପରେ ଭଜନ, ସମ୍ବଲପୁରୀ ଗୀତ ଓ ନୃତ୍ୟ, ସମ୍ବଲପୁରୀ ମେଡଲୀ ଏବଂ ଡିଜେ କାର୍ଯ୍ୟକ୍ରମରେ ମଞ୍ଚ ରଙ୍ଗାରଙ୍ଗ ହୋଇଉଠିଥିଲା। ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ପ୍ରତି ମଧ୍ୟ ସଙ୍ଗୀତ ପରିବେଷଣ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପଶ୍ଚିମ ଓଡ଼ିଶାର ପାରମ୍ପରିକ ଓ ସ୍ୱାଦିଷ୍ଟ ବ୍ୟଞ୍ଜନର ବ୍ୟବସ୍ଥା ମଧ୍ୟ ହୋଇଥିଲା।ଚଳିତ ବର୍ଷର ଭେଟଘାଟର ବିଶେଷ ଆକର୍ଷଣ ଥିଲା ନୂଆ ପିଢ଼ିଙ୍କ ଉତ୍ସାହଜନକ ଅଂଶଗ୍ରହଣ। ପିଲାମାନେ ନୃତ୍ୟ, ଗୀତ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଓଡ଼ିଆ ତଥା ସମ୍ବଲପୁରୀ ସଂସ୍କୃତିକୁ ମଞ୍ଚରେ ଉପସ୍ଥାପନ କରିଥିଲେ। ବିଦେଶ ମାଟିରେ ରହି ମଧ୍ୟ ନୂଆ ପିଢ଼ି ନିଜ ମାଟି, ଭାଷା ଓ ଐତିହ୍ୟ ସହ ଯୋଡ଼ି ହୋଇ ରହିବା ଏହି ଆୟୋଜନର ଏକ ବଡ଼ ସଫଳତା ବୋଲି ଆୟୋଜକମାନେ କହିଛନ୍ତି। ଆଗାମୀ ଦିନରେ ପିଲାମାନେ ହିଁ ଆମ ସଂସ୍କୃତିର ମଶାଲକୁ ଆଗକୁ ନେଇ ପରମ୍ପରାକୁ ଆହୁରି ସମୃଦ୍ଧ କରିବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। ୨୦୧୫ ମସିହାରୁ ନେଦରଲ୍ୟାଣ୍ଡରେ ନୂଆଖାଇ ଭେଟଘାଟ ପାଳିତ ହୋଇଆସୁଛି। ଆଗାମୀ ବର୍ଷଗୁଡ଼ିକରେ ଏହି ପର୍ବକୁ ଆହୁରି ବଡ଼ ପରିସରରେ ପାଳନ କରିବାକୁ ସମସ୍ତେ ଉତ୍ସାହିତ ଅଛନ୍ତି I

