ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନ ଓ ପ୍ରଜାସେବାର ୨୫ ବର୍ଷ ପୂର୍ତ୍ତି ଏବଂ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଆଜି ସକାଳେ ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’ ଅନୁଷ୍ଠିତ ହୋଇଥିଲା।ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆଭାସୀ ମାଧ୍ୟମରେ ଦେଶର ୭୫୦ଟି ଜିଲ୍ଲାର ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ପ୍ରତ୍ୟେକ ନାଗରିକ ରାଷ୍ଟ୍ରକୁ ପ୍ରଥମ ଓ ରାଷ୍ଟ୍ରହିତକୁ ସର୍ବୋପରି ରଖି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ ମଧ୍ୟ କାମନା କରିଥିଲେ।ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ ଓ ସମ୍ବଲପୁର ଜିଲ୍ଲା ବିଜେପି ପ୍ରଭାରୀ କାଳିନ୍ଦୀ ସାମଲ ସମ୍ମାନିତ ଅତିଥି ଥିଲେ।ପ୍ରଧାନମନ୍ତ୍ରୀଙ୍କ ସେବା ଓ ସୁଶାସନର ବାର୍ତ୍ତା ଘରେ ଘରେ ପହଞ୍ଚାଇବା, ଜନକଲ୍ୟାଣକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏବଂ ଭାରତକୁ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବାର ଉଦ୍ୟମରେ ସାମିଲ ହେବାକୁ ଉପସ୍ଥିତ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ।ଜିଲ୍ଲା ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟତମ ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସ୍ୱତନ୍ତ୍ର ପରିଷଦ ଅଧ୍ୟକ୍ଷ ଭାଗିନ୍ଦ୍ର କିଷାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ସଦସ୍ୟା ସବିତା ନନ୍ଦ ଓ ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସିଙ୍କ ସମେତ ଅନ୍ୟମାନେ ମଞ୍ଚାସୀନ ଥିଲେ।ବରିଷ୍ଠ ସାମାଜିକ କର୍ମୀ କାର୍ତ୍ତିକ ବହିଦାର ଉପସ୍ଥିତ ବିଜେପି ପଦାଧିକାରୀ, କାର୍ଯ୍ୟକର୍ତ୍ତା, ସମର୍ଥକ ଓ ଜନସାଧାରଣଙ୍କୁ ବିକଶିତ ଭାରତ ଗଠନର ସଂକଳ୍ପ ଶପଥ କରାଇଥିଲେ। ଅସୀମ ପ୍ରଧାନ ଉଦ୍ଘୋଷକ ଦାୟିତ୍ୱ ତୁଲାଇଥିଲେ।ଶେଷରେ ନେତୃମଣ୍ଡଳୀ ଓ ଜନସାଧାରଣ ପଦଯାତ୍ରାରେ ସେବା ଜ୍ୟୋତି ମଶାଲ ନେଇ ‘ସେବା ଜ୍ୟୋତି ଛକ’ରେ ପହଞ୍ଚିଥିଲେ। ସେଠାରେ ମଶାଲର ପ୍ରତୀକାତ୍ମକ ସ୍ଥାପନା କରାଯାଇଥିଲା। କାର୍ଯ୍ୟକ୍ରମରେ ଦାମୋଦର କର, ଅନିଲ ବେହେରା, ଫଣି ଭୂଷଣ ମିଶ୍ର, ନିରଞ୍ଜନ ଦାସ, ଗୁରଦୀପ ସିଂ, ପ୍ରଭୁଦତ୍ତ ପଣ୍ଡା, ହରବ୍ରତ ସେନାପତି ଓ ସୁଷମା ସାହୁଙ୍କ ସମେତ ଅନେକ ଜିଲ୍ଲା ପଦାଧିକାରୀ, କାର୍ଯ୍ୟକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ I

