ସମ୍ବଲପୁର,୦୮/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଦେବଗଡ଼ରୁ ସମ୍ବଲପୁର ଜିଲ୍ଲାକୁ ଆସିଥିବା ‘ରାଜୁ’ ନାମକ ହାତୀ ଏବେ ଜମନକିରା ଅଞ୍ଚଳରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଜମନକିରା ରେଞ୍ଜର ଭୋଜପୁର ବିଟ୍ ଅଞ୍ଚଳରେ ହାତୀଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଅନେକେ ମୋବାଇଲ୍ରେ ଫଟୋ ଓ ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଛାଡ଼ୁଛନ୍ତି।ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ଦେବଗଡ଼ ଅଞ୍ଚଳରୁ ଆସି ରାଜୁ ଜମନକିରା ରେଞ୍ଜର ସିରିଡ଼ ବିଟ୍ ଅଞ୍ଚଳରେ ପହଞ୍ଚିଥିଲା। ହାତୀଟିର ଶାନ୍ତ ସ୍ୱଭାବ ଯୋଗୁଁ ତାକୁ ଦେଖିବା ପାଇଁ ଲୋକଙ୍କ ଉତ୍ସୁକତା ବଢ଼ିଛି। ବୁଧବାର ରାଜୁ କୁଚିଣ୍ଡା ଅଭିମୁଖେ ଯାଉଥିବା ଦେଖାଯାଇଥିଲା।ରାଜୁ ଯେଉଁ ରାସ୍ତା ଦେଇ ଯାଉଛି, ଲୋକେ ସେହି ରାସ୍ତାରେ ତା’ ପଛେ ପଛେ ଯାଉଛନ୍ତି। କେହି କଦଳୀ ଓ ଅନ୍ୟାନ୍ୟ ଖାଦ୍ୟ ଦେଉଥିବା ବେଳେ ଅନେକେ ଫଟୋ ଓ ଭିଡିଓ କରୁଛନ୍ତି। ହାତୀକୁ ଦେଖିବା ପାଇଁ ରାସ୍ତାରେ ଯାନବାହନ ଅଟକୁଥିବାରୁ ଭିଡ଼ ମଧ୍ୟ ସୃଷ୍ଟି ହେଉଛି।ରାଜୁ ଏପର୍ଯ୍ୟନ୍ତ କାହାରି କ୍ଷତି କରିନଥିବାରୁ ଲୋକଙ୍କ ମଧ୍ୟରେ ଭୟ ଅପେକ୍ଷା ଉତ୍ସାହ ଅଧିକ ଦେଖାଯାଉଛି। ତେବେ ହାତୀ ନିକଟକୁ ଯିବା, ଖାଦ୍ୟ ଦେବା କିମ୍ବା ତା’ ପଛେ ପଛେ ଯିବା ବିପଦଜନକ ହୋଇପାରେ।ରାଜୁର ସୁରକ୍ଷା ପାଇଁ ଜମନକିରା ବନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଉଛି। ହାତୀଟି ଜନବସତି ଆଡ଼କୁ ଆସିଲେ ବିଦ୍ୟୁତ ବିଭାଗକୁ ସତର୍କ କରାଯାଇ ବିଦ୍ୟୁତ ସରବରାହ ବନ୍ଦ କରାଯାଉଥିବା ଜଣାପଡ଼ିଛି। ବନ ବିଭାଗ ହାତୀର ସୁରକ୍ଷିତ ଗତିବିଧି ଉପରେ ନଜର ରଖିଛି।

