ରାଉରକେଲା ୮/୧୦,(ଉତ୍କଳ ସମାଚାର)ଆଜି ଇଣ୍ଡିଆ ଗଠବନ୍ଧନ ଆହ୍ବାନ କ୍ରମେ ୧୨ ଘଣ୍ଟିଆ (ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ) ଓଡିଶା ବନ୍ଦ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଏମ୍.ଏମ୍.ଡି.ଆର୍ ସଂଶୋଧନ ଆଇନ୍-୨୦୨୬କୁ ରଦ୍ଦ, ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ୍ କୁମାରଙ୍କ ଦ୍ବାରା ଏସ୍ଆଇଆରରେ ୧୩ କୋଟିରୁ ଊର୍ଦ୍ଧ୍ବ ଭୋଟରଙ୍କ ନାମ ବାଦ ପଡିବା ସହ ନିର୍ବାଚନ କମିଶନ୍ରେ ଥିବା ୨ଜଣ ସଦସ୍ୟ ସୁଖବିର ସିଂ ସାନ୍ଧୁ ଏବଂ ବିବେକ୍ ଯୋଶୀ ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ୍ କୁମାରଙ୍କର ଆପତ୍ତିଜନକ କାର୍ଯ୍ୟ ବିରୁଦ୍ଧରେ ଏସ୍.ଆଇ.ଆର୍. କାର୍ଯ୍ଯ ଚାଲିଥିବା ଦଶମାସ ମଧ୍ୟରେ ଚଉଦ ଥର ଆପତ୍ତି ଜଣାଇଥିଲେ ମଧ୍ୟ ଜ୍ଞାନେଶ୍ କୁମାର କୌଣସି କଥାକୁ କର୍ଣ୍ଣପାତ କରିନଥିଲେ ଏବଂ ୧୩କୋଟି ଭୋଟରଙ୍କର ନାମ ଭୋଟର ତାଲିକାରୁ ବାଦ୍ ଦେଇଥିଲେ ଓ ଫର୍ମ-୬ରେ ଅଗଣତାନ୍ତ୍ରିକ ଭାବରେ ବଦଳ କରାଯାଇଥିଲା। ତେଣୁ ଗଣତନ୍ତ୍ରର ହତ୍ୟାକାରୀ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ସହିତ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ପାଇଁ ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ଦାବି କରାଯାଇଛି। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ରସାତଳଗାମୀ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଞ୍ଚାବନଟି ବହିରେ ୧୭୪୧ଟି ଭୁଲ ଏବଂ ତାକୁ ବଦଳାଯାଇ ନପାରିବା କିମ୍ବା ନିର୍ଭୁଲ ବହି ଯୋଗାଇବାରେ ବ୍ୟର୍ଥ ଓଡିଶା ସରକାରର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଚୁପଚାପ୍ ବସିଛନ୍ତି ବୋଲି ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ଅଭିଯୋଗ କରାଯାଇଛି। ଏଣୁ ଶିକ୍ଷା ବ୍ୟବସ୍ଥାକୁ ତଳିତଳାନ୍ତ କରିଥିବା ଓଡ଼ିଶା ସରକାରଙ୍କର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଇଣ୍ଡିଆ ଗଠବନ୍ଧନ ପକ୍ଷରୁ ଦାବି କରାଯିବା ସହ ବନ୍ଯା ବିପନ୍ନଙ୍କୁ ସହାୟତା ଦେବା ଦାବିକରି ଏହି ବନ୍ଦ ପାଳନ କରାଯାଉଛି। ଏହି ୧୨ ଘଣ୍ଟିଆ ବନ୍ଦ ଡାକରାରେ ଇଣ୍ଡିଆ ଗଠବନ୍ଧନରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ(ଏମ୍), ସି.ପି.ଆଇ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସମେତ ୯ଟି ରାଜନୈତିକ ଦଳର ନେତୃବୃନ୍ଦ ନେତୃତ୍ବ ନେଇଛନ୍ତି। ଅନ୍ଯପକ୍ଷରେ ଏହି ବନ୍ଦ ପ୍ରଭାବରେ ରାଉରକେଲା ବିର୍ସା ଛକ, ନାଲା ରୋଡ, ଡେଲି ମାର୍କେଟ, କଚେରୀ ରୋଡ, ଉଦିତନଗର ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ପାନପୋଷ ଛକ ଏବଂ ଜାତୀୟ ରାଜପଥ-୧୪୩ରେ ଇଣ୍ଡିଆ ଗଠବନ୍ଧନର ନେତୃବୃନ୍ଦ ଓ କର୍ମୀ ପିକେଟିଂ କରି ସମସ୍ତ ଯାନବାହନକୁ ଅଟକାଇଥିଲେ। ଇଣ୍ଡିଆ ଗଠବନ୍ଧନର କଂଗ୍ରେସ, ସିପିଆଇ(ଏମ୍), ସିପିଆଇ ପକ୍ଷରୁ ଏହି ୧୨ ଘଣ୍ଟିଆ ଓଡିଶା ବନ୍ଦ ସଫଳ ହୋଇଛି ବୋଲି ଦାବି କରାଯାଇଛି। ଆଜିର ଓଡିଶା ବନ୍ଦରେ ରାଉରକେଲା ସହରର ସମସ୍ତ ଘରୋଇ ବସ୍ ସମେତ ଆମ ବସ୍, ଅଟୋ, ପେଟ୍ରୋଲ ପମ୍ପ ଏବଂ ଦୋକାନ ବଜାର ପ୍ରଭାବିତ ହୋଇଛି।


