ସମ୍ବଲପୁର,୧୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଶିଶୁ ଓ ମାତୃ ପୁଷ୍ଟିହୀନତା ଦୂରୀକରଣ ସହ ସୁସ୍ଥ ଓ ସୁପୋଷିତ ସମାଜ ଗଠନ ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬’ ପାଳିତ ହୋଇଯାଇଛି। ଶୁକ୍ରବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଯୁକ୍ତ ପୋଷଣ, ଗର୍ଭବତୀ ମା’ଙ୍କ ଯତ୍ନ, ଶିଶୁଙ୍କ ସୁସ୍ଥ ବିକାଶ ଏବଂ କୁପୋଷଣ ଦୂରୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଶିଶୁ ଓ ମାତୃ ପୁଷ୍ଟିହୀନତା ନିରାକରଣ ପାଇଁ ଗର୍ଭାବସ୍ଥାରୁ ଉପଯୁକ୍ତ ଯତ୍ନ ନେବା ଉପରେ ଜୋର୍ ଦେଇଥିଲେ। ଗର୍ଭାବସ୍ଥାରେ ମା’ଙ୍କୁ ଆବଶ୍ୟକ ପୋଷକତତ୍ତ୍ୱ ନ ମିଳିଲେ ଶିଶୁର ସ୍ୱାସ୍ଥ୍ୟ ଓ ଶାରୀରିକ ଅଭିବୃଦ୍ଧି ପ୍ରଭାବିତ ହୋଇପାରେ ବୋଲି ସେ କହିଥିଲେ। ଗର୍ଭାବସ୍ଥାର ତିନୋଟି ପର୍ଯ୍ୟାୟରେ ମା’ଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ନିୟମିତ ଯତ୍ନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ଓ ଶାରୀରିକ ତଥା ମାନସିକ ବିକାଶ ସୁନିଶ୍ଚିତ କରିବାକୁ ପରିବାର, ସମାଜ ଓ ସରକାରୀ ବିଭାଗଗୁଡ଼ିକର ସମନ୍ୱିତ ଉଦ୍ୟମ ଦରକାର ବୋଲି ସେ ମତ ଦେଇଥିଲେ।ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଗୀତାଞ୍ଜଳି ମହାପାତ୍ର ପୁଷ୍ଟିକର ଖାଦ୍ୟର ଉପକାରିତା ଏବଂ ଦୈନନ୍ଦିନ ଖାଦ୍ୟରେ ପୋଷଣଯୁକ୍ତ ସାମଗ୍ରୀ ସାମିଲ କରିବାର ଆବଶ୍ୟକତା ବିଷୟରେ କହିଥିଲେ। ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଝୁନୁ ସ୍ୱାଇଁ କୁପୋଷଣ ଦୂରୀକରଣରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଓ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ପୂର୍ବତନ ଅଧିକାରିଣୀ ଅନୁରାଧା ମହାନ୍ତି ପୋଷଣ ଅଭିଯାନରେ ଗୋଷ୍ଠୀର ସହଭାଗିତା ଓ ଉତ୍ତରଦାୟିତ୍ୱର ଗୁରୁତ୍ୱ ବୁଝାଇଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରତିମା ତନ୍ତୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣିମା ତ୍ରିପାଠୀ ‘ସୁପୋଷିତ ଓଡ଼ିଶା ମିଶନ’ ଅନ୍ତର୍ଗତ ଜନଆନ୍ଦୋଳନ ବିଷୟରେ ସୂଚନା ଦେଇଥିଲେ। ଜିଲ୍ଲା ସଂଯୋଜିକା ସୁନୀତା ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପୋଷଣ ମାସ ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ରଚନା, ପ୍ରଶ୍ନୋତ୍ତର ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ସମାରୋହରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅଙ୍ଗନବାଡ଼ି କର୍ମୀ ଓ ‘ଆଦ୍ୱିକା’ କାର୍ଯ୍ୟକ୍ରମରେ ସାମିଲ କିଶୋରୀମାନେ ପୋଷଣ ସଚେତନତା ଆଧାରିତ ନୃତ୍ୟ ପରିବେଷଣ କରିଥିଲେ। ସନ୍ତୁଳିତ ଖାଦ୍ୟ, ସୁସ୍ଥ ଜୀବନଶୈଳୀ ଓ ପୁଷ୍ଟିହୀନତା ନିରାକରଣର ବାର୍ତ୍ତା ଏହା ମାଧ୍ୟମରେ ଦିଆଯାଇଥିଲା।ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ପଦଯାତ୍ରା ବାହାରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଝୁନୁ ସ୍ୱାଇଁ, ଗୀତାଞ୍ଜଳି ମହାପାତ୍ର ଓ ଅନୁରାଧା ମହାନ୍ତି, ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣିମା ତ୍ରିପାଠୀ, ରେଢ଼ାଖୋଲ ଉପଖଣ୍ଡର କାର୍ଯ୍ୟକ୍ରମ ଅଧିକାରୀ ଅନିତା ଏକ୍କା, ସମ୍ବଲପୁର ସଦର ଉପଖଣ୍ଡର କାର୍ଯ୍ୟକ୍ରମ ଅଧିକାରୀ ସୁବାସିନୀ ପଟେଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଚିସ୍ମିତା ପଟ୍ଟନାୟକ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଏସ୍. ବାଞ୍ଛୋର ଯୋଗଦେଇଥିଲେ। ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କିଶୋରୀ, ପର୍ଯ୍ୟବେକ୍ଷିକା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।
ଜିଲ୍ଲା ସଂଯୋଜକ ଧୃତିଦୀପ୍ତ ଶତପଥୀ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ସୁବାସିନୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ I

