ସମ୍ବଲପୁର,୧୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ନିକଟସ୍ଥ ସଇଡ଼ା ଗ୍ରାମରେ ଶୁକ୍ରବାର ଭୋର ସମୟରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଅଞ୍ଜଳି କୁସୁମ (୪୭)।ସୂଚନା ଅନୁଯାୟୀ, କୁଚିଣ୍ଡା ସହର ଆଖପାଖରେ ଘୁରୁଥିବା ୬ଟିକିଆ ହାତୀପଲ ଗତକାଲି ସନ୍ଧ୍ୟାରେ ଚୈତ୍ରା ପର୍ବତ ଆଡ଼କୁ ଯାଇଥିଲେ। ପରେ ରାତିରେ ଦିଗ ବଦଳାଇ ସଇଡ଼ା ଗ୍ରାମ ନିକଟ ଭେଡ଼େନ ନଦୀକୂଳ ଦେଇ ଯାଉଥିଲେ। ଶୁକ୍ରବାର ଭୋରରେ ଅଞ୍ଜଳି ଶୌଚ ପାଇଁ ନଦୀକୂଳକୁ ଯାଇଥିବାବେଳେ ହାତୀପଲଙ୍କ ସମ୍ମୁଖୀନ ହୋଇଥିଲେ। ହାତୀମାନେ ତାଙ୍କୁ କଚାଡ଼ି ଓ ଘୋଷାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଘଟଣା ପରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କା, ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ୧୦ ହଜାର ଟଙ୍କା ଏବଂ ବନ ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସେମାନେ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।ବନ ବିଭାଗ ପକ୍ଷରୁ ଡାକଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ନିୟମିତ ସଚେତନ କରାଯାଉଛି। କୁଚିଣ୍ଡା ରେଞ୍ଜର ଲେଖାରାଣୀ ମହାନନ୍ଦ କହିଛନ୍ତି, କୁଚିଣ୍ଡା ଅଞ୍ଚଳର ୨୫ କିଲୋମିଟର ପରିଧି ମଧ୍ୟରେ ସନ୍ଧ୍ୟା ଓ ସକାଳ ସମୟରେ ଏକାକୀ ବାହାରକୁ ନ ଯିବାକୁ ଲୋକଙ୍କୁ ସତର୍କ କରାଯାଇଛି। ବର୍ତ୍ତମାନ ୬ଟିକିଆ ହାତୀପଲ ରାମଝାଳି ଅଞ୍ଚଳରେ ଥିବାବେଳେ ବନ ବିଭାଗ ସେମାନଙ୍କ ଗତିବିଧି ଉପରେ ନଜର ରଖିଛି I

