ସମ୍ବଲପୁର,୧୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ମହାନଗର ନିଗମର ୨୮ ନମ୍ବର ୱାର୍ଡ ଅନ୍ତର୍ଗତ ଅମ୍ବିରା ନଗର ସରସ୍ୱତୀ ବିହାରର ଲେନ୍ ନମ୍ବର ୭ରେ ରାସ୍ତା ଉପରେ ଇଟା ଓ ବାଲି ଜମା ହୋଇ ରହିଥିବାରୁ ପଡ଼ାବାସୀଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ସୁଦାମ ପଣ୍ଡା ନାମକ ଜଣେ ବ୍ୟକ୍ତି ଘର ନିର୍ମାଣ ପାଇଁ ଆଣିଥିବା ଇଟା ଓ ବାଲିକୁ ପ୍ରାୟ ୧୫ ଦିନ ହେଲା ରାସ୍ତା ଉପରେ ରଖିଛନ୍ତି। ଏହି ରାସ୍ତା ଦେଇ ପ୍ରାୟ ୬୦ଟି ଘରର ଲୋକ ଯିବାଆସିବା କରନ୍ତି। ନିର୍ମାଣ ସାମଗ୍ରୀ ରାସ୍ତାରେ ରହିଥିବାରୁ ରାସ୍ତା ସଙ୍କୁଚିତ ହୋଇପଡ଼ିଛି ଏବଂ ଦୈନନ୍ଦିନ ଯାତାୟାତରେ ଅସୁବିଧା ହେଉଛି।ପଡ଼ାବାସୀଙ୍କ ଅଭିଯୋଗ, ସାମଗ୍ରୀ ହଟାଇବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏଯାଏଁ ରାସ୍ତା ଖାଲି କରାଯାଇନାହିଁ। ରାସ୍ତାର ଅବସ୍ଥା ଏପରି ଯେ ଆବଶ୍ୟକ ସମୟରେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗର ଗାଡ଼ି ଯିବାରେ ବାଧା ଉପୁଜିପାରେ ବୋଲି ବାସିନ୍ଦାମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସହରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଘର ନିର୍ମାଣ ପାଇଁ ଆଣାଯାଉଥିବା ବାଲି, ଗୋଡ଼ି, ପଥର ଓ ଇଟା ରାସ୍ତା ଉପରେ ଦୀର୍ଘଦିନ ଧରି ରଖାଯାଉଥିବା ନେଇ ଅଭିଯୋଗ ହେଉଛି। ଏହା ଯାତାୟାତରେ ବାଧା ସୃଷ୍ଟି କରିବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ାଉଛି।ଆମ୍ବିରା ନଗର ଲେନ୍ ନମ୍ବର ୭ରୁ ନିର୍ମାଣ ସାମଗ୍ରୀ ହଟାଇ ରାସ୍ତା ଖାଲି କରିବାକୁ ପଡ଼ାବାସୀ ମହାନଗର ନିଗମ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଦାବି କରିଛନ୍ତି। ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ରଖିବା ଦ୍ୱାରା ସାଧାରଣ ଲୋକ ଓ ଜରୁରୀକାଳୀନ ଯାନବାହନର ଚଳାଚଳ ବାଧାପ୍ରାପ୍ତ ନହେବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି

