ସମ୍ବଲପୁର,୧୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅନ୍ତର୍ଗତ କାଇଁଶିର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଏବଂ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି କାର୍ଯ୍ୟକ୍ରମରେ କାଇଁଶିର କ୍ଲଷ୍ଟର ଅନ୍ତର୍ଗତ ୯ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସରୋଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କ୍ଲଷ୍ଟର ରିସୋର୍ସ ସେଣ୍ଟର କୋ-ଅର୍ଡିନେଟର (ସିଆରସିସି) ଶୈଳସୁତା ପାଢ଼ୀ, ସାମ୍ବାଦିକ ଦୁଲାଳ ଚନ୍ଦ୍ର ରାୟ ଓ ସୁରଜ ସିଂ ଛୁରିଆ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବିଦ୍ୟାଳୟର ସଭାପତି ଗୋପୀନାଥ ନାୟକ ମଧ୍ୟ ଏହି ଅବସରରେ ଯୋଗଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ‘ସୁରଭି’ କାର୍ଯ୍ୟକ୍ରମର ଗୁରୁତ୍ୱ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ପାଠପଢ଼ା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ନେତୃତ୍ୱ ଗୁଣ, ଆତ୍ମବିଶ୍ୱାସ ଓ ସାଂସ୍କୃତିକ ଚେତନାର ବିକାଶ ଜରୁରୀ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଲିଖନ, ସଙ୍ଗୀତ, ନୃତ୍ୟ ଓ କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଶେଷରେ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଶିକ୍ଷୟିତ୍ରୀ ଶାନ୍ତିଲତା ବେହେରା, ମମତା ସାହୁ, ସରୋଜିନୀ ନାୟକ, ଆରତୀ କିଣ୍ଡୋ, ତନ୍ମୟା ମାଝୀ, କାମିନୀ ମୁଣ୍ଡା ଓ ତପସ୍ୱିନୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ। ନିର୍ଗୁଣପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବବୃବାହନ ଭୋଇ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

