ସମ୍ବଲପୁର,୧୦/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସାଂସ୍କୃତିକ ସହର ସମ୍ବଲପୁର ଏବେ ପ୍ରଦୂଷଣ ଓ ଧୂଳିର ଆସ୍ତରଣ ତଳେ ଅଣନିଶ୍ୱାସୀ ହୋଇପଡ଼ିଛି। ସହରର ପ୍ରମୁଖ ରାସ୍ତାଗୁଡ଼ିକରେ କୁହୁଡ଼ି ପରି ଧୂଳି ଉଡ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଯାତାୟାତ ମଧ୍ୟ ଦୁର୍ବିସହ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ଚାଲିଥିବା ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ କାମ ସହ ସ୍ୱେରେଜ୍ ପ୍ରକଳ୍ପ ପାଇଁ ଖୋଳାଖୋଳି ଏହି ସମସ୍ୟାର ମୁଖ୍ୟ କାରଣ। ରାସ୍ତା ଖୋଳିବା ପରେ ମାଟି ଓ ବାଲି ଦୀର୍ଘଦିନ ଧରି ପକାଇ ରଖାଯାଉଛି। ଫଳରେ ଯାନବାହନ ଚଳାଚଳ ସମୟରେ ପ୍ରବଳ ଧୂଳି ଉଡ଼ୁଛି। ମୁଖ୍ୟ ଟ୍ରାଫିକ୍ ଛକ, ବୁଢ଼ାରଜା, ଅଇଁଠାପାଲି ଓ କ୍ଷେତରାଜପୁର ଭଳି ବ୍ୟସ୍ତବହୁଳ ଅଞ୍ଚଳରେ ସ୍ଥିତି ଅଧିକ ସଂଗୀନ ହୋଇପଡ଼ିଛି। ଧୂଳିମିଶା ପରିବେଶରେ କାଶ, ଥଣ୍ଡା, ଆଜ୍ମା ଓ ଆଖି କୁଣ୍ଡେଇ ହେବା ଭଳି ସମସ୍ୟା ଦେଖାଦେଉଥିବା କହିଛନ୍ତି ସହରବାସୀ। ଏଥିରେ ଶିଶୁ ଓ ବୟସ୍କ ବ୍ୟକ୍ତିମାନେ ଅଧିକ ପ୍ରଭାବିତ ହେଉଛନ୍ତି। ମାସ୍କ ପିନ୍ଧି ରାସ୍ତାକୁ ବାହାରିବାକୁ ପଡ଼ୁଥିବା ବେଳେ ଧୂଳି ଯୋଗୁଁ ଦୃଶ୍ୟମାନତା କମିବାରୁ ବାଇକ୍ ଚାଳକମାନେ ମଧ୍ୟ ଦୁର୍ଘଟଣାର ଆଶଙ୍କାରେ ରହୁଛନ୍ତି। ବଜାର ଓ ହୋଟେଲଗୁଡ଼ିକ ମଧ୍ୟ ଧୂଳିରେ ପ୍ରଭାବିତ ହୋଇଛନ୍ତି। ଖାଦ୍ୟପଦାର୍ଥ ଓ ଅନ୍ୟ ସାମଗ୍ରୀ ଉପରେ ଧୂଳି ଜମୁଥିବାରୁ ବ୍ୟବସାୟୀମାନେ ଅସୁବିଧାରେ ପଡ଼ୁଛନ୍ତି।ନିର୍ମାଣ କାମ ଚାଲିଥିବା ସମୟରେ ନିୟମିତ ପାଣି ସିଞ୍ଚନ କରାଯିବା କଥା, କିନ୍ତୁ ଏଥିପ୍ରତି ପ୍ରଶାସନ ଓ ଠିକାଦାର ସଂସ୍ଥା ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସହରବାସୀ। ଜିଲ୍ଲା ପ୍ରଶାସନ ଓ ସମ୍ବଲପୁର ମହାନଗର ନିଗମ (ଏସ୍ଏମ୍ସି) ତୁରନ୍ତ ପଦକ୍ଷେପ ନେଇ ଅଧାପନ୍ତରିଆ ରାସ୍ତା କାମ ଶେଷ କରିବା ସହ ମୁଖ୍ୟ ରାସ୍ତାରେ ଦିନକୁ ଅତିକମରେ ଦୁଇରୁ ତିନିଥର ପାଣି ସିଞ୍ଚନ କରିବାକୁ ସେମାନେ ଦାବି କରିଛନ୍ତି। ପ୍ରଦୂଷଣ ନିୟମ ଉଲ୍ଲଂଘନ କରୁଥିବା ନିର୍ମାଣକାରୀ ସଂସ୍ଥା ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି I

