ସମ୍ବଲପୁର, ୧୦/୧୦,(ଉତ୍କଳ ସମାଚାର) (ଭୂମି ଏକ୍ସପ୍ରେସ): ସମ୍ବଲପୁର ମହାନଗର ନିଗମ (ଏସ୍ଏମ୍ସି) ପକ୍ଷରୁ ଶନିବାର ଆୟୋଜିତ ଗଣସଫେଇ ଅଭିଯାନର ସଫଳତାକୁ ନେଇ ସହରରେ ପ୍ରଶ୍ନ ଉଠିଛି। ଅଭିଯାନ କେତେକ ସ୍ଥାନରେ ପ୍ରତୀକାତ୍ମକ ସଫେଇ, ଫଟୋ ଉଠାଇବା ଓ ସେଲ୍ଫି ନେବାରେ ସୀମିତ ରହିଥିବା ସମ୍ବଲପୁର ଉର୍ଣ୍ଣୟନ କର୍ତୃପକ୍ଷ (ଏସଡିଏ) ର ପୂର୍ବତନ ଅଧକ୍ଷ ଜୟବ୍ରତ ଦେ ଅଭିଯୋଗ କରିଛନ୍ତି I ଅନ୍ୟପଟେ ସହରର ବିଭିନ୍ନ ରାସ୍ତା ଓ ଗଳିରେ ଆବର୍ଜନା ପଡ଼ିରହିଥିବା ନେଇ ନାଗରିକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ଅନୁସାରେ, ଅଭିଯାନରେ ସାଧାରଣ ନାଗରିକଙ୍କ ବ୍ୟାପକ ଅଂଶଗ୍ରହଣ ଦେଖିବାକୁ ମିଳିନଥିଲା। କେତେକ ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ୟ ଲୋକଙ୍କୁ ନେଇ ଔପଚାରିକତା ପୂରଣ କରାଯାଇଥିବା ମଧ୍ୟ କୁହାଯାଇଛି। ଟି-ସାର୍ଟ ଓ ଟୋପି ପିନ୍ଧି କିଛି ଆବର୍ଜନା ଉଠାଇ ଫଟୋ ନେବା ଦ୍ୱାରା ସହରର ସାମଗ୍ରିକ ପରିମଳ ସମସ୍ୟାର ସମାଧାନ ହେବ କି ବୋଲି ପ୍ରଶ୍ନ ଉଠିଛି।ସାକ୍ଷୀପଡ଼ା ଦୁର୍ଗାମଣ୍ଡପ ନିକଟ ଇଦ୍ଗାହ ପାଖ, ଗୋଲବଜାର ଦୁର୍ଗାମଣ୍ଡପ ନିକଟ ବେଣ୍ଟେକ୍ସ ଦୋକାନ ଗଳି, ଶକ୍ତି ଛକ, ଦୁର୍ଗାମଣ୍ଡପ ପାଖ, ଫ୍ଲାଏଓଭର ନିକଟ ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଲେନ୍ର ସିନ୍ଧି ଧର୍ମଶାଳା ନିକଟରେ ଆବର୍ଜନା ପଡ଼ିରହିଥିବା ଅଭିଯୋଗ ହୋଇଛି। ଦୁର୍ଗାପୂଜା ମଣ୍ଡପ ନିକଟରେ ମଧ୍ୟ ଆବର୍ଜନା ରହିଥିବାବେଳେ ଗଣସଫେଇ ଦିନ ଏହା ସଫା ନହେବାକୁ ନେଇ ନାଗରିକମାନେ ପ୍ରଶ୍ନ ଉଠାଇଛନ୍ତି। ହନୁମାନ ଜୟନ୍ତୀ, ଶୀତଳଷଷ୍ଠୀ, ନୂଆଁଖାଇ ଓ ଗଣେଶ ପୂଜା ଭଳି ପର୍ବପର୍ବାଣି ସମୟରେ ମଧ୍ୟ ସହରର ପରିମଳ ବ୍ୟବସ୍ଥାକୁ ନେଇ ଅଭିଯୋଗ ଆସୁଥିବା କୁହାଯାଇଛି। ଦୁର୍ଗାପୂଜାକୁ ଆଉ କିଛି ଦିନ ଥିବାବେଳେ ଅନେକ ଅଞ୍ଚଳରେ ନିୟମିତ ସଫେଇ, ଷ୍ଟ୍ରିଟ୍ଲାଇଟ୍ ଓ ପାନୀୟ ଜଳ ଯୋଗାଣ ସମସ୍ୟା ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି।ସହରର ସମସ୍ତ ୱାର୍ଡ, ଗଳି, ନାଳ ଓ ଆବର୍ଜନାପ୍ରବଣ ଅଞ୍ଚଳରେ ସଫେଇ ଅଭିଯାନ ଚାଲୁ କରିବାକୁ ଦାବି ହୋଇଛି। ଦୁର୍ଗାପୂଜା ମଣ୍ଡପ ଓ ଏହାର ଆଖପାଖ ଅଞ୍ଚଳକୁ ଆବର୍ଜନାମୁକ୍ତ କରିବା ସହ ପୂଜାକୁ ଯାଉଥିବା ରାସ୍ତାରେ ଆଲୋକ ବ୍ୟବସ୍ଥା ଏବଂ ନିରାପଦ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ଏସ୍ଏମ୍ସିକୁ ଅନୁରୋଧ କରାଯାଇଛି। ଏହାସହ ଗଣସଫେଇ ଅଭିଯାନରେ କେତେ ଖର୍ଚ୍ଚ ହେଲା, କେତେ ଲୋକ ନିୟୋଜିତ ହେଲେ, କେତେ ଅଞ୍ଚଳ ସଫା ହେଲା ଏବଂ କେତେ ଆବର୍ଜନା ଉଠାଗଲା—ସେନେଇ ତଥ୍ୟ ସ୍ୱଚ୍ଛ ଭାବେ ରଖିବାକୁ ଦାବି ହୋଇଛି। ପ୍ରତ୍ୟେକ ୱାର୍ଡରେ ନିୟମିତ ଆବର୍ଜନା ସଂଗ୍ରହ, ନାଳ ସଫେଇ ଓ ନାଗରିକଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ଉଠିଛି। ଗଣସଫେଇ ଗୋଟିଏ ଦିନର କାର୍ଯ୍ୟକ୍ରମରେ ସୀମିତ ନରହି ନିୟମିତ ପରିମଳ ବ୍ୟବସ୍ଥାର ଅଂଶ ହେବା ଆବଶ୍ୟକ।ଫଟୋରେ ସ୍ୱଚ୍ଛତା ଦେଖାଇବା ଅପେକ୍ଷା ରାସ୍ତା, ଗଳି ଓ ଜନବସତିକୁ ବାସ୍ତବରେ ସଫା ରଖିବା ଉପରେ ଏସ୍ଏମ୍ସି ଗୁରୁତ୍ୱ ଦେବା ଉଚିତ ବୋଲି ଶ୍ରୀ ଦେ କହିଛନ୍ତି।

