ରାଉରକେଲା ୧୦/୧୦,(ଉତ୍କଳ ସମାଚାର) ରାତି ପାହିଲେ ଶାରଦୀୟ ନବରାତ୍ରି ପୂଜା ଆରମ୍ଭ। ଶାରଦୀୟ ନବରାତ୍ରି ପୂଜା ଆରମ୍ଭ ପାଇଁ ପୂଜା ସାମଗ୍ରୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ରବିବାର ଶୁକ୍ଳ ପ୍ରତିପଦାରେ କଳସ ସ୍ଥାପନ ସହିତ ନବରାତ୍ରି ପୂଜା ଆରମ୍ଭ ହେବ। ଏହି ୯ ଦିନିଆ ନବରାତ୍ରି ପୂଜା ପାଇଁ ସହରର ସମସ୍ତ ଦେବୀ ମନ୍ଦିରରେ ଯୁଦ୍ଧକାଳୀନ ସ୍ତରରେ ପ୍ରସ୍ତୁତି ଚାଲିଛି। ସେହିପରି ରାଉରକେଲା ସହରର ହନୁମାନ ଭାଟିକା ପରିସର ସ୍ଥିତ ଦୁର୍ଗା ମନ୍ଦିର, ପାନପୋଷ ଗାନ୍ଧୀ ଛକ ନିକଟସ୍ଥ କାଳୀ ମନ୍ଦିର, ପାନପୋଷ ରୋଡ ତାରିଣୀ ମନ୍ଦିର, ଉଦିତନଗର ସ୍ଥିତ ସିଂହାସନୀ ମନ୍ଦିର, ପଞ୍ଚଦେବ କଲଚରାଲ୍ ଟ୍ରଷ୍ଟ ଜଗନ୍ନାଥ ମନ୍ଦିର ପରିସରରେ ଅବସ୍ଥିତ ମାତା ମନ୍ଦିର, ରାଉରକେଲା ରେଳ ଷ୍ଟେସନ ନିକଟରେ ଅବସ୍ଥିତ ସଙ୍କଟ ମୋଚନ ମନ୍ଦିର ପରିସରରେ ଦୁର୍ଗା ମନ୍ଦିର, ସେକ୍ଟର-୩ ଅହିରାବନ୍ଧ ସ୍ଥିତ ମାତା ମନ୍ଦିର, ରାଉରକେଲା ଇସ୍ପାତ ସହରାଞ୍ଚଳରେ ଥିବା ବିଭିନ୍ନ ଦେବୀ ମନ୍ଦିର ସମେତ ନବରାତ୍ରି ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆଜି ରାଉରକେଲା ସହରର ଡେଲି ମାର୍କେଟ, ଟ୍ରାଫିକ୍ ମାର୍କେଟ, ପାନପୋଷ ମାର୍କେଟ, ଫର୍ଟିଲାଇଜର ଟାଉନସିପ୍, ଇସ୍ପାତ ମାର୍କେଟ, ଆମ୍ବବାଗାନ ମାର୍କେଟ, ସେକ୍ଟର-୧୬ ମାର୍କେଟ, ବାସନ୍ତୀ କଲୋନୀ ମାର୍କେଟ ଏବଂ ଅନ୍ୟାନ୍ୟ ବଜାରରେ ଥିବା ପୂଜା ସାମଗ୍ରୀ ଦୋକାନୀମାନଙ୍କରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି।

