ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ୨୦୨୬’ ପାଳିତ ହୋଇଯାଇଛି। କୁଳପତି ବୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ମନୋବିଜ୍ଞାନ ବିଭାଗ, ବିଶ୍ୱବିଦ୍ୟାଳୟ କାଉନସେଲିଂ ସେଲ୍ ଓ ପତଙ୍ଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏ ଅବସରରେ ପଥପ୍ରାନ୍ତ ନାଟକ, ପ୍ଲାକାର୍ଡ ରାଲି ଓ ଶ୍ରେଣୀଗୃହ ଆଲୋଚନାଚକ୍ର ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଚାପ, ଚିନ୍ତା, ଅବସାଦ ଓ ଭାବପ୍ରବଣ ଯନ୍ତ୍ରଣା ଭଳି ସମସ୍ୟା ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରିପାରେ। ତେଣୁ ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବା, ଭାବନା ବିଷୟରେ ଖୋଲାଖୋଲି କଥା ହେବା ଏବଂ ଆବଶ୍ୟକ ସମୟରେ ବୃତ୍ତିଗତ ସହାୟତା ନେବାକୁ ଆଲୋଚକମାନେ ଗୁରୁତ୍ୱ ଦେଇଥିଲେ।କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ଡ. ରୂପଶ୍ରୀ ଗୋସ୍ୱାମୀ, ଜନସମ୍ପର୍କ ଅଧିକାରୀ ଡ. ଅତୁଲ କୁମାର ପ୍ରଧାନ, ଡ. ସଞ୍ଜୁକ୍ତା ପାଢ଼ୀ, ପୁଷ୍ପା ହେମ୍ବ୍ରମ, ଡ. ରୂପଶ୍ରୀ ବ୍ରହ୍ମକୁମାରୀ, ଡ. ମନୋରଞ୍ଜନ ତ୍ରିପାଠୀ, ଡ. ସାଜିବ ଭୋଇ, ଚନ୍ଦ୍ରକାନ୍ତ ଦାସ, ରିଷୁ ଶର୍ମା ଓ ଗବେଷିକା ରଶ୍ମିତା ମହାନ୍ତି ଯୋଗଦେଇ ମତାମତ ଓ ଉପସ୍ଥାପନା ରଖିଥିଲେ। ମାନସିକ ସମସ୍ୟା ସହ ଜଡ଼ିତ କଳଙ୍କ ଓ ଭେଦଭାବ ଦୂର କରିବା ସହ ଏଭଳି ସମସ୍ୟାରେ ଥିବା ବ୍ୟକ୍ତିଙ୍କୁ ସମର୍ଥନ ଦେବାକୁ ମଧ୍ୟ ଆହ୍ୱାନ ଦିଆଯାଇଥିଲା

