ରାଉରକେଲା ୧୧/୧୦,(ଉତ୍କଳ ସମାଚାର) ଚଳିତ ବର୍ଷ ତରକେରା ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ତରକେରା ଠାରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ବର୍ଷରେ କମିଟି ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ୨୦୨୬ ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ଅକ୍ଟୋବର ୧୭ ତାରିଖ ଦିନ ତପଷଷ୍ଠୀରେ ମା’ଙ୍କ ବିଲ୍ବବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅକ୍ଟୋବର ୧୮ ତାରିଖ ଦିନ ମହାସପ୍ତମୀ, ଜଳାଭିଷେକ କାର୍ଯ୍ୟକ୍ରମରେ ମହିଳାମାନଙ୍କ ଦ୍ଵାରା ୧୦୮ କଳସ ଶୋଭାଯାତ୍ରା ତରକେରା ଦୁର୍ଗା ପୂଜା ମଣ୍ଡପ ନିକଟରୁ ବାହାରି ତରକେରା ବ୍ରାହ୍ମଣୀ ନଦୀ ଘାଟକୁ ଯିବ ଏବଂ ନଦୀରୁ କଳସରେ ଜଳ ନେଇ ମଣ୍ଡପ ନିକଟକୁ ଆସି ଘଟ ସ୍ଥାପନ କରାଯିବ। ଅକ୍ଟୋବର ୧୯ ତାରିଖ ମହାଅଷ୍ଟମୀରେ ମହାଷ୍ଟମୀ ପୂଜା, ସନ୍ଧିପୂଜା ସହିତ ଅନୁଷ୍ଠାନ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମ ରହିଛି ଏବଂ ସନ୍ଧ୍ୟାରେ ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗାପୂଜା କମିଟିର ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ସମ୍ମାନିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅକ୍ଟୋବର ୨୦ ତାରିଖ ଦିନ ମହାନବମୀରେ ମହାନବମୀ ପୂଜା ସହିତ କମିଟି ତରଫରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅକ୍ଟୋବର ୨୧ ତାରିଖ ଶାରଦୀୟ ଦୁର୍ଗା ପୂଜାର ବିଜୟା ଦଶମୀ ପୂଜା, ଅପରାଜିତା ପୂଜା ସହିତ ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅକ୍ଟୋବର ୨୨ ତାରିଖ ଦେବୀଙ୍କ ବିଶ୍ରାମ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୨୫ ତାରିଖ ଦିନ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି। ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମା’ଙ୍କ ମସ୍ତକରେ ୩ କେଜି ଓଜନର ରୂପା (ଚାନ୍ଦି) ମୁକୁଟ ଶୋଭାପାଇବା ସହିତ ଅନ୍ୟତମ ଆକର୍ଷଣ ଭାବେ କଟକ ପ୍ରସିଦ୍ଧ ସୁନେଲି ଜରି ମେଢରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ଶୋଭା ପାଇବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପ୍ରସାଦ କୁମାର ମଲ୍ଲିକ (କାକୁନି), ଉପସଭାପତି ପ୍ରଦୀପ ଜେନା, କାର୍ଯ୍ୟକାରୀ ସଭାପତି ସୁନୀଲ ସେଠୀ, ନନ୍ଦଲାଲ ପୁରନ, ସୂର୍ଯ୍ୟ ବାରିକ, ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ସହସମ୍ପାଦକ ସମରେନ୍ଦ୍ର ସ୍ବାଇଁ (ସିଲୁ), କାର୍ଯ୍ୟକାରୀ ସମ୍ପାଦକ ଭ୍ଯାସ ମହାନ୍ତ, ନଟବର ଭୁମିଜ, କୋଷାଧ୍ୟକ୍ଷ ସୁକାନ୍ତ ମହାନ୍ତ, ସହ-କୋଷାଧ୍ୟକ୍ଷ ବସନ୍ତ ପଣ୍ଡା ଏବଂ ଜିତେନ୍ଦ୍ର ଜେନା, ଉପଦେଷ୍ଟା ହାଡିବନ୍ଧୁ ସ୍ବାଇଁ, ବଳରାମ ଦାସ, ଅନନ୍ତ ଚନ୍ଦ୍ର ନାୟକ, ନରୋତ୍ତମ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

