ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ମାସବ୍ୟାପୀ ବାର୍ଷିକ ଜନସମ୍ପର୍କ ପଦଯାତ୍ରାର ଅଂଶ ଭାବେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଯୁଯୋମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତରେ ପଦଯାତ୍ରା ଓ ଜନସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇଥିଲେ।ପଦଯାତ୍ରା ପୂର୍ବରୁ ଦେଦର ନୂଆପାଲି ଗ୍ରାମରେ ନିର୍ମାଣ ହେବାକୁ ଥିବା ଏକ ଶ୍ମଶାନଘାଟ କାମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପରେ ସକାଳ ୧୦ଟାରେ ଗ୍ରାମରୁ ପଦଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରି ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ବ୍ଲକ ବିଜେଡି ସଭାପତି ବିନୋଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା। ବୈଠକ ପୂର୍ବରୁ ମା’ ସମଲେଶ୍ୱରୀ, ବିଜୁ ପଟ୍ଟନାୟକ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରି ପୁଷ୍ପ ଅର୍ପଣ କରାଯାଇଥିଲା।ସଭାରେ ବିଧାୟକ ଶ୍ରୀ ଆଚାର୍ଯ୍ୟ କହିଥିଲେ, ଗଣତନ୍ତ୍ରରେ ନାଗରିକଙ୍କ ଅଧିକାର ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା, ସେମାନଙ୍କ ସମସ୍ୟା ଶୁଣିବା ଏବଂ ଲୋକଙ୍କୁ ସଚେତନ କରିବା ଏହି ପଦଯାତ୍ରାର ଉଦ୍ଦେଶ୍ୟ। ରାଜ୍ୟର ଶାସନ ଓ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ କରି ସେ ମହିଳାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଚିନ୍ତା ପ୍ରକାଶ କରିଥିଲେ। ତାଙ୍କ ଉକ୍ତି ଅନୁଯାୟୀ, ଗତ ୧୮ ମାସରେ ୪୮,୭୯୮ ମହିଳାଙ୍କ ପ୍ରତି ଅତ୍ୟାଚାର ହୋଇଥିବା ରାଜ୍ୟ ସରକାରଙ୍କ ରେକର୍ଡରେ ରହିଛି। ଏହି ତଥ୍ୟ ଉଲ୍ଲେଖ କରି ସେ ରାଜ୍ୟରେ ହିଂସାତ୍ମକ ଆଚରଣ ବଢ଼ୁଥିବା ଅଭିଯୋଗ କରିଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପୂର୍ବତନ ସରକାରର କାର୍ଯ୍ୟ ଓ ଯୋଜନା ବିଷୟରେ କହିବା ସହ ଶ୍ରୀ ଆଚାର୍ଯ୍ୟ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରକୁ ସମାଲୋଚନା କରିଥିଲେ। ବିଜେଡି ଜିଲ୍ଲା ସମ୍ପାଦକ ପ୍ରତାପ ନାୟକ ମଧ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ବିକାଶ ପରିବର୍ତ୍ତେ ବିନାଶ ହେଉଥିବା କହିଥିଲେ। ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଥିଲେ। ଡଙ୍ଗରପଡ଼ା ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା ସ୍ଥାନୀୟ ପ୍ରସଙ୍ଗ ଉଠାଇ କଟାକ୍ଷ କରିଥିବା ବେଳେ ବାହାମ ସମିତି ସଭ୍ୟ ତଥା ବିଜେଡି ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ମଗର ସରକାରଙ୍କୁ ‘ଡବଲ ଠକ’ ବୋଲି ଅଭିହିତ କରିଥିଲେ।
ବକ୍ତାମାନେ ବିଜେଡି ସରକାରଙ୍କ ୨୪ ବର୍ଷର ଶାସନ କାଳରେ ମହିଳା ସଶକ୍ତିକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ ଓ ଚାଷୀଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଯୋଜନାଗୁଡ଼ିକ ବିଷୟରେ ଲୋକଙ୍କୁ ଜଣାଇବା ସହ ଗ୍ରାମାଞ୍ଚଳର ସମସ୍ୟା ଶୁଣିବା ଉପରେ ପଦଯାତ୍ରାରେ ଗୁରୁତ୍ୱ ଦିଆଯାଇଥିଲା।ଗ୍ରାମବାସୀଙ୍କ ପକ୍ଷରୁ ବିଜୟ ସ୍ୱାଇଁ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କ ସମୟରେ ଗ୍ରାମରେ ହୋଇଥିବା ବିକାଶ କାର୍ଯ୍ୟର ଉଲ୍ଲେଖ କରିବା ସହ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଟିକରାପଡ଼ାର ଜଣେ ମହିଳା ମଧ୍ୟ ନିଜ ଅଞ୍ଚଳର ଅସୁବିଧା ସଭାରେ ଜଣାଇଥିଲେ।ସଭାରେ ସ୍ଥାନୀୟ ନେତାମାନେ ରାଜ୍ୟର ଆଇନଶୃଙ୍ଖଳା, ମହିଳା ଓ ନାବାଳିକାଙ୍କ ପ୍ରତି ହିଂସା, କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଆଭିମୁଖ୍ୟ ଏବଂ ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ସୀମିତ କରାଯାଉଥିବା ଅଭିଯୋଗ ଉଠାଇଥିଲେ। ଏହି ଅବସରରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଇସମାଇଲ ଆଜାଦ ବଢ଼େଇ, ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରଦୀପ ପରିଡ଼ା, ବ୍ଲକ ଉପସଭାପତି ଅଲେଖ ଦେହୁରୀ ଓ ସୁବୋଧ ବେହେରା, ଡଙ୍ଗରପଡ଼ା ସମିତି ସଭ୍ୟ ପ୍ରକାଶ ପ୍ରଧାନ, ପୂର୍ବତନ ସରପଞ୍ଚ ବିପିନ ବେହେରା, ନାରୀନେତ୍ରୀ ତଥା ପୂର୍ବତନ ସମିତି ସଭ୍ୟା ଯମୁନା ସାହୁ ଓ ହରିହର ନାୟକଙ୍କ ସମେତ ଅନ୍ୟ ନେତାମାନେ ମଞ୍ଚାସୀନ ଥିଲେ। ଶ୍ରୀକାନ୍ତ ମହାପାତ୍ର ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ।ବିଜେଡି ପଞ୍ଚାୟତ ସଭାପତି ତଥା ପୂର୍ବତନ ସରପଞ୍ଚ ଗଣେଶ ତାଣ୍ଡିଆ, କୈଳାସ ବିଶ୍ୱାଳ, ଦୟାସାଗର ପ୍ରଧାନ, ଝସକେତନ ନାୟକ, ସୁଶୀଲ ବେହେରା, ବେଣୁଧର ତ୍ରିପାଠୀ, ଆଶୁତୋଷ ସ୍ୱାଇଁ, ଘନଶ୍ୟାମ ସାହୁ, ଖିରୋଦ ସାହୁ, ରାଜକୁମାର ସାହୁ ପ୍ରଦୀପ ଡସସନା, ରାଧାକାନ୍ତ ସାହୁ, ବିରେନ ପଶାୟତ, ଭରତ ଠେଲା, ସୁମନ୍ତ ସାହୁ, ବାବଲୁ ନାୟକ ପ୍ରମୁଖ ପଦଯାତ୍ରା ଆୟୋଜନରେ ସହଯୋଗ କରିଥିଲେ। ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ହୀରାଲାଲ ବେହେରା ଗ୍ରାମ ପଂଚାୟତ ରେ ହେଉଥିବା ବିଭିନ୍ନ ଉର୍ଣ୍ଣୟନ ପ୍ରକଳ୍ପ ଗୁଡିକ ରେ ବିବରଣୀ ପ୍ରଦାନ କରିବା ସହିତ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

