ସମ୍ବଲପୁର,୧୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲାର ଶିଳ୍ପ ଆବହାୱା, ଶିଳ୍ପ ପ୍ରସାରର ସୁଯୋଗ, ସିଏସ୍ଆର୍ (CSR) ଏବଂ ଅଞ୍ଚଳର ବିକାଶ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଶନିବାର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଉତ୍ତରାଞ୍ଚଳ ଆଇଜି ଚରଣ ସିଂହ ମୀନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ମହାନଗର ନିଗମ କମିଶନର ରେହାନ ଖେତ୍ରୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଧାଂଶୁ କୁମାର ଭୋଇ ଏବଂ ସିଡିଓ-କମ୍-ଇଓ ପ୍ରସନ୍ନ ପାତ୍ରଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।ଆଦିତ୍ୟ ଆଲୁମିନିୟମ, ଜେଏସ୍ଡବ୍ଲ୍ୟୁ, ଶ୍ୟାମ ମେଟାଲିକ୍ସ ଓ ଏନ୍ଏଲ୍ସି ଭଳି ଶିଳ୍ପାନୁଷ୍ଠାନ ସେମାନଙ୍କ ସିଏସ୍ଆର୍ କାର୍ଯ୍ୟକ୍ରମ ଓ ଅଞ୍ଚଳର ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ତଥ୍ୟଭିତ୍ତିକ ଉପସ୍ଥାପନା ଦେଇଥିଲେ। ଉପସ୍ଥାପନାଗୁଡ଼ିକର ସମୀକ୍ଷା କରି ସାଂସଦ ଶ୍ରୀ ପ୍ରଧାନ ଆଦିତ୍ୟ ଆଲୁମିନିୟମକୁ ବୁଣାକାର ସେବା କେନ୍ଦ୍ର ଓ ଡିଜାଇନ୍ ବିକାଶ ମାଧ୍ୟମରେ ସମ୍ବଲପୁରୀ ବସ୍ତ୍ର ଶିଳ୍ପର ପ୍ରସାରକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ।ସିଏସ୍ଆର୍ କାର୍ଯ୍ୟ କେବଳ କାଗଜପତ୍ରରେ ସୀମିତ ରହିବା ଉଚିତ୍ ନୁହେଁ ବୋଲି ସାଂସଦ କହିଥିଲେ। ଅଞ୍ଚଳର ସୁରକ୍ଷା ଓ ସୁବିଧା ପାଇଁ ସିସିଟିଭି କ୍ୟାମେରା, ଆଲୋକୀକରଣ, ଏଲ୍ଇଡି ବ୍ୟବସ୍ଥା ଓ ବ୍ୟାରିକେଡ୍ ନିର୍ମାଣ କରିବା ଶିଳ୍ପାନୁଷ୍ଠାନଗୁଡ଼ିକର ନୈତିକ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ। ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତିଯୋଗ୍ୟ କରିବାକୁ ଦକ୍ଷତା ବିକାଶ ସହ ହସ୍ପିଟାଲ, ସ୍କିଲ୍ ସେଣ୍ଟର ଓ ନର୍ସିଂ ଭଳି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବାକୁ ସେ ଆହ୍ୱାନ ଦେଇଥିଲେ I

