ରାଉରକେଲା ୧୧/୧୦,(ଉତ୍କଳ ସମାଚାର) ଆଜି ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ। ୟୁନିସେଫ୍ ସହଯୋଗରେ ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ଶାଖା ଦ୍ବାରା ରାଉରକେଲା ରିଜର୍ଭ ପୋଲିସ୍ କାର୍ଯ୍ଯାଳୟ ପକ୍ଷରୁ ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳେ ବିଭିନ୍ନ ସ୍କୁଲର ଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ରିଂ ରୋଡ୍ ଡିଏଭି ଛକରୁ ବାହାରି ରାଉରକେଲା ରିଜର୍ଭ ପୋଲିସ୍ ଲାଇନରେ ଥିବା ରିଜର୍ଭ ପୋଲିସ୍ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲା। ସେଠାରେ କନ୍ୟାରତ୍ନ (ଛାତ୍ରୀ)ମାନଙ୍କୁ ବିସ୍କୁଟ୍ ଓ ଫଳରସ ଦିଆଯାଇ ସ୍ବାଗତ କରାଯିବା ପରେ, ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ଅବସରରେ ଛାତ୍ରୀମାନଙ୍କୁ ସଚେତନତା କରାଇବା ଉଦ୍ଦେଶ୍ଯରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ, ସମ୍ମାନୀୟ ଅତିଥି ଭାବେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ରାଉରକେଲା ସରକାରୀ ଡାକ୍ତରଖାନାର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶୋଭାରାଣୀ ପ୍ରଧାନ, ସିଡବ୍ଲ୍ୟୁସି ଚେୟାରପର୍ସନ ସାମୀ ଓରାମ, ସୁନ୍ଦରଗଡ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଶ୍ରୀବନ୍ତ ଜେନାଙ୍କ ସମେତ ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ନାୟକ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ କନ୍ଯାରତ୍ନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ଚିନ୍ତା ପ୍ରକଟ କରିବା ସହିତ ସେମାନେ ଯେପରି ସମାଜରେ ଶୋଷିତ ନହେବେ ସେଥିପ୍ରତି ଧ୍ୟାନ ଦେବାକୁ ଆହ୍ଵାନ ଦେଇଥିଲେ। ବାଲ୍ୟବିବାହ ବନ୍ଦ କରିବା ସହିତ କନ୍ୟା ଅଧିକାରର ବିନିଯୋଗ କରିବା ପାଇଁ ଅତିଥିମାନଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଥିଲା। ଏ ଦିଗରେ ରାଜ୍ୟ ପୋଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହିତ କନ୍ୟାରତ୍ନଙ୍କ ଉପରେ ଅତ୍ୟାଚାରକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ ସହିତ ସହଯୋଗ କରିବାକୁ ଆଜି ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସରେ ଆହ୍ଵାନ ଦିଆଯାଇଛି।


