କେନ୍ଦୁଝର, 11//10,(ଉତ୍କଳ ସମାଚାର)ଆନ୍ତର୍ଜାତୀୟ ବାଳିକା ଦିବସ ୨୦୨୬ ଅବସରରେ କେନ୍ଦୁଝର ପୋଲିସ ପକ୍ଷରୁ ଆଜି ‘ଜୁଭେନଟିକା ’ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ବର୍ଷର ମୁଖ୍ୟ ବାର୍ତ୍ତା “ବାଲ୍ୟ ବିବାହର ଅନ୍ତ ଘଟାଅ ଏବଂ ଝିଅମାନଙ୍କ ଅଧିକାରରେ ନିବେଶ କର” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବାଲ୍ୟ ବିବାହ ନିରାକରଣ, ଲିଙ୍ଗଗତ ସମାନତା, ବାଳିକାମାନଙ୍କ ଶିକ୍ଷା ଓ ଅଧିକାର ସମ୍ପର୍କରେ କିଶୋର-କିଶୋରୀ ଏବଂ ଯୁବପିଢ଼ିଙ୍କୁ ସଚେତନ କରିବା।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଡିଏସ୍ପି ଶ୍ରୀ ଜୟଦୀପ ମହାନ୍ତ, ଇନ୍ସପେକ୍ଟର ହେରୋଫିନା ହାସଦା, କେନ୍ଦୁଝର ଟାଉନ୍ ଥାନାର ଆଇଆଇସି ଶ୍ରୀ ଶ୍ରୀକାନ୍ତ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରଞ୍ଜିତା ଦାଶ, ସିଡିପିଓ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଯୋଗଦେଇଥିଲେ। ଏଥିରେ ବହୁ କିଶୋର-କିଶୋରୀ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ବାଲ୍ୟ ବିବାହର କୁପରିଣାମ, ଶିଶୁମାନଙ୍କ ଶିକ୍ଷା ଓ ସୁରକ୍ଷା, ଝିଅମାନଙ୍କ ପ୍ରତି ସମ୍ମାନ, ଲିଙ୍ଗଗତ ଭେଦଭାବ ଦୂରୀକରଣ ଏବଂ ସାମାଜିକ ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବାଲ୍ୟ ବିବାହ ରୋକିବାରେ କେବଳ ପ୍ରଶାସନ ନୁହେଁ, ପରିବାର, ଶିକ୍ଷାନୁଷ୍ଠାନ, ସମାଜ ଏବଂ ଯୁବପିଢ଼ିଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଉପସ୍ଥିତ କିଶୋରମାନେ ବାଲ୍ୟ ବିବାହକୁ ବିରୋଧ କରିବା, ଝିଅମାନଙ୍କ ଅଧିକାର ଓ ପସନ୍ଦକୁ ସମ୍ମାନ ଦେବା, ଲିଙ୍ଗଗତ ଭେଦଭାବରୁ ଦୂରେଇ ରହିବା ଏବଂ ନିଜ ପରିବାର ଓ ସମାଜରେ ବାଲ୍ୟ ବିବାହ ରୋକିବା ପାଇଁ ସକ୍ରିୟ ଭୂମିକା ନେବା ନିମନ୍ତେ ଶପଥ ଗ୍ରହଣ କରିଥିଲେ।କେନ୍ଦୁଝର ପୋଲିସ ପକ୍ଷରୁ ସମସ୍ତ ଅଭିଭାବକ, ଶିକ୍ଷକ, ସାମାଜିକ ସଂଗଠନ ଓ ଜନସାଧାରଣଙ୍କୁ ବାଲ୍ୟ ବିବାହ ନିରାକରଣ ଦିଗରେ ଏକଜୁଟ ହୋଇ କାର୍ଯ୍ୟ କରିବା ସହ ପ୍ରତ୍ୟେକ ଶିଶୁର ସୁରକ୍ଷିତ ଓ ସୁନ୍ଦର ଭବିଷ୍ୟତ ଗଠନରେ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।
