ସମ୍ବଲପୁର,୧୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଶ୍ରୀ ଅଗ୍ରସେନ ଜୟନ୍ତୀ ସମାରୋହ ସମିତି, କ୍ଷେତରାଜପୁର ପକ୍ଷରୁ ମହାରାଜା ଶ୍ରୀ ଅଗ୍ରସେନ ଜୀଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଦୁଇଦିନିଆ ସମାରୋହ ଭବ୍ୟ ଭାବେ ସମ୍ପନ୍ନ ହୋଇଛି। ଅକ୍ଟୋବର ୧୦ ଓ ୧୧ ତାରିଖରେ କ୍ଷେତରାଜପୁରସ୍ଥିତ ଦୁର୍ଗା ମଙ୍ଗଳମ୍ଠାରେ ଆୟୋଜିତ ଏହି ଉତ୍ସବରେ ହଜାର ହଜାର ସମାଜବନ୍ଧୁ ଯୋଗଦେଇଥିଲେ।ପ୍ରଥମ ଦିନ ସକାଳେ ମହାରାଜା ଶ୍ରୀ ଅଗ୍ରସେନ ଜୀଙ୍କ ପୂଜାର୍ଚ୍ଚନା ଓ ଆରତୀରୁ ସମାରୋହ ଆରମ୍ଭ ହୋଇଥିଲା। ଦିନସାରା ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସନ୍ଧ୍ୟାରେ ଉଦ୍ଘାଟନୀ ସଭାକୁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏମ୍ସିଏଲ୍ର ଜେନେରାଲ ମ୍ୟାନେଜର (କ୍ୱାଲିଟି କଣ୍ଟ୍ରୋଲ୍) ସଞ୍ଜୀବ କୁମାର ଅଗ୍ରୱାଲ ଏବଂ ମାରୱାଡ଼ୀ ସମ୍ମେଳନର ନିବର୍ତ୍ତମାନ ପ୍ରାନ୍ତୀୟ ଅଧ୍ୟକ୍ଷ ଡ. ଗୋବିନ୍ଦ ରାମ ଅଗ୍ରୱାଲ ଯୋଗଦେଇଥିଲେ। ସମାଜର ପିଲାମାନଙ୍କ ସାଂସ୍କୃତିକ ପରିବେଷଣ, ଆତ୍ମରକ୍ଷା କଳା ପ୍ରଦର୍ଶନ ଏବଂ କଳାକାରଙ୍କ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା।ଦ୍ୱିତୀୟ ଦିନରେ ମହାରାଜା ଶ୍ରୀ ଅଗ୍ରସେନ ଜୀଙ୍କ ପୂଜାର୍ଚ୍ଚନା ଓ ମାତା ମହାଲକ୍ଷ୍ମୀଙ୍କ ମହାଅଭିଷେକ କରାଯାଇଥିଲା। ଦିନର ବିଶେଷ ଆକର୍ଷଣ ଥିଲା ‘କୌନ୍ ବନେଗା ଚାମ୍ପିୟନ୍’। ଅମିତାଭ ବଚ୍ଚନଙ୍କ ହମଶକଲ ଶଶିକାନ୍ତ ପୌଡୱାଲ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଶହ ଶହ ଲୋକ ଏଥିରେ ଭାଗ ନେଇଥିଲେ। ଅପରାହ୍ନ ୪ଟାରେ ଖେତରାଜପୁରସ୍ଥିତ ଶ୍ରୀ ଅଗ୍ରସେନ ଛକରେ ମହାରାଜାଙ୍କ ମହାଆରତୀ ହୋଇଥିଲା। ଏହାପରେ ଛତିଶଗଡ଼ ଦିବ୍ୟାଙ୍ଗଜନ ବିତ୍ତ ଓ ବିକାଶ ନିଗମର ଅଧ୍ୟକ୍ଷ ଲୋକେଶ କାୱଡିଆଙ୍କ ଉପସ୍ଥିତିରେ ଛକରୁ ଦୁର୍ଗା ମଙ୍ଗଳମ୍ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ବାହାରିଥିଲା। ବ୍ୟାଣ୍ଡ୍ବାଜା, ମହାରାଜା ଅଗ୍ରସେନଙ୍କ ୧୮ ପୁତ୍ରଙ୍କ ଝାଙ୍କି ଓ ଭବ୍ୟ ରଥ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ଶଶିକାନ୍ତ ପୌଡୱାଲ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାରମ୍ପରିକ ପୋଷାକରେ ସଜ୍ଜିତ ମାରୱାଡ଼ୀ ସମାଜର ମହିଳା ଓ ପୁରୁଷମାନେ ଶୋଭାଯାତ୍ରାର ଶୋଭା ବଢ଼ାଇଥିଲେ। ସନ୍ଧ୍ୟା ୭ଟାରେ ଦୁର୍ଗା ମଙ୍ଗଳମ୍ଠାରେ ସମାପନ ସମାରୋହ ହୋଇଥିଲା। ନବରାତ୍ରିର ପ୍ରଥମ ଦିନ ଅବସରରେ ମା’ ସମଲେଶ୍ୱରୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ ସହ ସଭା ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ଅଗ୍ରୱାଲ ସମ୍ମେଳନ, ହିସାରର ଅଧ୍ୟକ୍ଷ ତଥା ନିବର୍ତ୍ତମାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଗୋପାଳ ଶରଣ ଗର୍ଗ ଯୋଗଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ବିଧାୟକ ତଥା ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ଭାରତ ମାତା ନ୍ୟାସର ପ୍ରତିଷ୍ଠାତା ଦର୍ଶନା ଅଗ୍ରୱାଲ ଏବଂ ସମ୍ମାନିତ ଅତିଥି ଭାବେ ଅଗ୍ରୱାଲ ସମ୍ମେଳନର ପ୍ରାନ୍ତୀୟ ଅଧ୍ୟକ୍ଷ ଓମପ୍ରକାଶ ବାପୋଡ଼ିଆ ଯୋଗଦେଇଥିଲେ।ସମାରୋହ ସମିତିର ଅଧ୍ୟକ୍ଷ ଶଙ୍କର ଲାଲ ଅଗ୍ରୱାଲ, ମହାସଚିବ ପରାଗ ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଜୟକିଶନ ତାୟଲ ମଞ୍ଚାସୀନ ଥିଲେ। ସଭାରେ ଅତିଥିମାନଙ୍କୁ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର ବିଜେତା ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ ପରିବେଷଣ ଓ ଅଗ୍ରଭୋଜର ମଧ୍ୟ ଆୟୋଜନ ହୋଇଥିଲା

