ସମ୍ବଲପୁର,୧୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ତଳାବିରା ଡିଭିଜନ୍ ଓ ତଳାବିରା ଓପନ୍କାଷ୍ଟ ପ୍ରକଳ୍ପ ପକ୍ଷରୁ କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍ଆର୍) ପଦକ୍ଷେପ ଅଧୀନରେ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଏକ ବେସିକ୍ ଲାଇଫ୍ ସପୋର୍ଟ (ବିଏଲ୍ଏସ୍) ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଅକ୍ଟୋବର ୮ ତାରିଖରେ ରେଙ୍ଗାଲିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁରର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆମ୍ବୁଲାନ୍ସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ଆମ୍ବୁଲାନ୍ସ ଜିଲ୍ଲାର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଆବଶ୍ୟକ ସମୟରେ ରୋଗୀଙ୍କୁ ଶୀଘ୍ର ଚିକିତ୍ସା ସହାୟତା ପହଞ୍ଚାଇବାରେ ସହାୟକ ହେବ। ବିଶେଷକରି ଗ୍ରାମାଞ୍ଚଳ ଓ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ହସ୍ପିଟାଲକୁ ନେବା ଏବଂ ଜରୁରୀ ସମୟରେ ପ୍ରାଥମିକ ଜୀବନରକ୍ଷା ସେବା ଯୋଗାଇବାରେ ଏହାର ଭୂମିକା ରହିବ।କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏବଂ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।କମ୍ପାନୀ ପକ୍ଷରୁ କୁହାଯାଇଛି, ଏହି ପଦକ୍ଷେପ ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ସହଯୋଗ କରିବା ସହ ଅସହାୟ ଓ ଆବଶ୍ୟକତା ଥିବା ଲୋକଙ୍କ ପାଖରେ ଜରୁରୀ ସହାୟତା ପହଞ୍ଚାଇବାରେ ସହାୟକ ହେବ। ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ଭିତ୍ତିଭୂମି ବିକାଶ ଭଳି କ୍ଷେତ୍ରରେ ସିଏସ୍ଆର୍ କାର୍ଯ୍ୟକ୍ରମ ଜାରି ରଖି ସ୍ଥାନୀୟ ସମୁଦାୟର ଉନ୍ନତି ପାଇଁ ଏନ୍ଏଲ୍ସି ଇଣ୍ଡିଆ ପ୍ରତିବଦ୍ଧ ବୋଲି ଜଣାଇଛି।

