ସମ୍ବଲପୁର,୧୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ନିର୍ବାଚନ ସମୟରେ ସମ୍ବଲପୁରବାସୀଙ୍କୁ ଦିଆଯାଇଥିବା ପ୍ରମୁଖ ପ୍ରତିଶ୍ରୁତି ପୂରଣ ଏବଂ ସହରର ବିଭିନ୍ନ ଜନସମସ୍ୟାର ସମାଧାନ ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଜନଜାଗରଣ ଅଭିଯାନ ଆରମ୍ଭ ହୋଇଛି। ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ସଭାପତି ଇଂ. ରୋହିତ ପୂଜାରୀଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଘରକୁ ଘର ଯାଇ ଅଭିଯାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ପୋଷ୍ଟକାର୍ଡରେ ଦସ୍ତଖତ ସଂଗ୍ରହ କରିଥିଲେ।ସଂଗୃହୀତ ପୋଷ୍ଟକାର୍ଡଗୁଡ଼ିକୁ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ସମ୍ବଲପୁରବାସୀଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ଅବଗତ କରାଇବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି। ନିର୍ବାଚନ ସମୟରେ ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା, ହାଇକୋର୍ଟ ବେଞ୍ଚ ସ୍ଥାପନ ଏବଂ ସମ୍ବଲପୁରୀ ଭାଷାକୁ ସରକାରୀ ମାନ୍ୟତା ପ୍ରଦାନ ଭଳି ପ୍ରସଙ୍ଗ ଉଠିଥିଲା। ସହରର ରାସ୍ତାଘାଟ, ଡ୍ରେନେଜ୍, ପରିମଳ, ଆବର୍ଜନା ପରିଚାଳନା ଏବଂ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣକୁ ନେଇ ମଧ୍ୟ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ଓ ପ୍ରଶ୍ନ ରହିଛି। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ କେବଳ ଘୋଷଣା ନୁହେଁ, ସମୟବଦ୍ଧ ଓ ଠୋସ୍ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ବିଜେଡି ଦାବି କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ ସମ୍ବଲପୁରବାସୀଙ୍କ ନ୍ୟାଯ୍ୟ ଅଧିକାର, ଉନ୍ନତ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମି ବିକାଶ ସୁନିଶ୍ଚିତ କରିବା ସହ ନିର୍ବାଚନୀ ପ୍ରତିଶ୍ରୁତି ପାଇଁ ଜବାବଦେହିତା ରହିବା ଗଣତନ୍ତ୍ରରେ ଜରୁରୀ। ଦସ୍ତଖତ ସଂଗ୍ରହ ମାଧ୍ୟମରେ ଦାବିଗୁଡ଼ିକୁ ଉଚ୍ଚସ୍ତରରେ ପହଞ୍ଚାଇବା ଏବଂ ସମସ୍ୟାର ସମାଧାନ ନେଇ ଜନମତ ସୃଷ୍ଟି କରିବାକୁ ଦଳ ଉଦ୍ୟମ କରୁଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ବିଜେଡି ସଭାପତି ବସନ୍ତ କୁମାର ମିଶ୍ର, ଜିଲ୍ଲା ଉପସଭାପତି ସୁରୁବାବୁ ମେହେର, ସତ୍ୟେନ୍ଦ୍ର କୁମାର ଦାଶ ଓ ଆନନ୍ଦ ବଡ଼ଗଆଁ , ସଂଖ୍ୟାଲଘୁ ସେଲ୍ର ଉପସଭାପତି ହରଦୀପ ସିଂ ଭୂର୍ଜୀ, ଜିଲ୍ଲା ଯୁବ ସଭାପତି ପ୍ରଦୋଷ ମହାନ୍ତି, ଜିଲ୍ଲା ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା ଓ ପ୍ରହଲ୍ଲାଦ ଗୁରୁ, ମହିଳା ଜିଲ୍ଲା ସଭାନେତ୍ରୀ ସଂଯୁକ୍ତ ମେହେରଙ୍କ ସମେତ ବରିଷ୍ଠ ନେତା ସୌରୀ ପାଣିଗ୍ରାହୀ, ପ୍ରଶାନ୍ତ ନାୟକ, ସୁଧୀର ପ୍ରଧାନ, ସୌରଭ ସେନ, ରବି ସେନାପତି, ଉତ୍ତମ ବାଗ, ଦୋରା ବାବୁ, ଅନୁଜ, ସୁସ୍ମିତା ଦୀପ, ପୂଜା ଦେବୀ, ନୀଳିମା ନାୟକ, ଅନିତା ଓରାମ ଓ ଲକ୍ଷ୍ମୀ ଭୋଇଙ୍କ ସମେତ ବହୁ ଦଳୀୟ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।ସମ୍ବଲପୁରର ବିକାଶ, ଜନସମସ୍ୟାର ସମାଧାନ ଏବଂ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ଦାବିରେ ଆଗାମୀ ଦିନରେ ଏହି ଜନଜାଗରଣ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ଇଂ ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି I

