ସମ୍ବଲପୁର,୧୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ଆସନ୍ତା ନଭେମ୍ବର ୧୩ ଓ ୧୪ ତାରିଖରେ ଚତୁର୍ଥ ଜିଲ୍ଲାସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀ ‘ସମ୍ବଲପେକ୍ସ-୨୦୨୬’ ଆୟୋଜିତ ହେବ। ସମ୍ବଲପୁର ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏନେଇ ସୋମବାର ସମ୍ବଲପୁରସ୍ଥିତ ଡାକ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏହି ଅବସରରେ ପ୍ରଦର୍ଶନୀର ଲୋଗୋ ଓ ପ୍ରସପେକ୍ଟସ୍ ଉନ୍ମୋଚନ କରାଯାଇଥିଲା।ଫିଲାଟେଲି ଦାୟିତ୍ୱରେ ଥିବା ଅଭିଷେକ ପୂଜାରୀଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ଡାକ ସେବା ନିର୍ଦ୍ଦେଶକ ଏସ୍.କେ. ଠାକରେ, ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ଡାକ ସେବା ନିର୍ଦ୍ଦେଶକ-୧ ସୁଜିତ କୁମାର ମହାରଣା, ସହକାରୀ ଡାକ ସେବା ନିର୍ଦ୍ଦେଶକ-୨ ସମରଜିତ୍ ନାୟକ, ସମ୍ବଲପୁର ଡାକ ମଣ୍ଡଳର ଡାକ ଅଧୀକ୍ଷକ ସୁଶାନ୍ତ କୁମାର ପାଣିଗ୍ରାହୀ, ସହକାରୀ ଡାକ ଅଧୀକ୍ଷକ (ମୁଖ୍ୟାଳୟ) ୟେରା ପୋଲାୟା, ସହକାରୀ ଡାକ ଅଧୀକ୍ଷକ (ଓଡ଼ି) ସରୋଜ ବସ୍ତିଙ୍କ ସମେତ ବିଶିଷ୍ଟ ଡାକ ଟିକଟ ସଂଗ୍ରାହକମାନେ ଉପସ୍ଥିତ ଥିଲେ।ଡାକ ଅଧୀକ୍ଷକ ଶ୍ରୀ ପାଣିଗ୍ରାହୀ ପ୍ରଦର୍ଶନୀ ସମ୍ପର୍କରେ ସୂଚନା ଦେଇଥିଲେ। ଜଣେ ବିଶିଷ୍ଟ ଡାକ ଟିକଟ ସଂଗ୍ରାହକ ଡାକ ଟିକଟ ସଂଗ୍ରହର ନିଜ ଅଭିଜ୍ଞତା ସହ ଏହାର ଇତିହାସ ବିଷୟରେ କହିଥିଲେ। ଡାକ ଟିକଟ ମାଧ୍ୟମରେ ଦେଶର ଇତିହାସ, ସଂସ୍କୃତି ଓ ଐତିହ୍ୟ ବିଷୟରେ, ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅଧିକାରୀମାନେ କହିଥିଲେ।ଡାକ ସେବା ନିର୍ଦ୍ଦେଶକ ଶ୍ରୀ ଠାକରେ କହିଥିଲେ, ଏହି ପ୍ରଦର୍ଶନୀ ଡାକ ଟିକଟ ସଂଗ୍ରାହକ, ଫିଲାଟେଲିଷ୍ଟ ଓ ଡାକ ଟିକଟ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କୁ ନିଜ ସଂଗ୍ରହ ପ୍ରଦର୍ଶନ କରିବା ଓ ଅଭିଜ୍ଞତା ବାଣ୍ଟିବାର ସୁଯୋଗ ଦେବ। ପ୍ରଦର୍ଶନୀରେ ଭାଗ ନେବା ପାଇଁ ୧୮ ବର୍ଷରୁ କମ୍ ବୟସ୍କଙ୍କୁ କୌଣସି ପଞ୍ଜିକରଣ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ପଞ୍ଜିକରଣ ଶୁଳ୍କ ୧୦୦ ଟଙ୍କା ରଖାଯାଇଛି।ଫିଲାଟେଲିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଆଗାମୀ ଦିନରେ ସଚେତନତାମୂଳକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଠାକରେ ପ୍ରକାଶ କରିଥିଲେ। ସହକାରୀ ଡାକ ଅଧୀକ୍ଷକ (ମୁଖ୍ୟାଳୟ) ଶ୍ରୀ ପୋଲାୟା ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ ଟିକଟ ସଂଗ୍ରହ ପ୍ରତି ଆଗ୍ରହ ଜାଗ୍ରତ କରିବା ଓ ଦେଶର ସଂସ୍କୃତି ତଥା ପରମ୍ପରା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଆୟୋଜନର ଲକ୍ଷ୍ୟ ବୋଲି କହିଥିଲେ।ଶେଷରେ ସହକାରୀ ଡାକ ଅଧୀକ୍ଷକ (ଓଡ଼ି) ଶ୍ରୀ ବସ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଡାକ ବିଭାଗର ଅରୁଣ କୁମାର ଲାଟା, ସତ୍ୟ ଦାସ, ସପ୍ତର୍ଷୀ ପୁରୋହିତ, ଆଶିଷ କୁମ୍ଭାର, ତାପସ ଭୋଇ, ଅଜୟ ପ୍ରଧାନ ଓ ପ୍ରଳୟ ପ୍ରତାପ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

