ସମ୍ବଲପୁର,୧୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ବାଙ୍ଗାଲୋରରେ ‘ଜୁହାର ପରିବାର’ ପକ୍ଷରୁ ୨୭ତମ ନୂଆଁଖାଇ ଭେଟଘାଟ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ପ୍ରଥମେ ମା’ ସମଲେଶ୍ୱରୀଙ୍କ ନିକଟରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।କାର୍ଯ୍ୟକ୍ରମରେ ବାଙ୍ଗାଲୋର ସେଣ୍ଟ୍ରାଲର ଲୋକସଭା ସାଂସଦ ପି.ସି. ମୋହନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜସେବୀ ସନ୍ଦୀପ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିରାଜ କୁମାର ମିଶ୍ର ଓ ସମାଜସେବୀ ଶୈଳେଶ ଦାନି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସାଂସଦ ଶ୍ରୀ ମୋହନ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ କହିଥିଲେ, ୨୦୦୯ ମସିହାରୁ ସେ ଏହି କାର୍ଯ୍ୟକ୍ରମରେ ନିରନ୍ତର ଯୋଗଦେଇ ଆସୁଛନ୍ତି। ନୂଆଁଖାଇ ଏକ କୃଷିଭିତ୍ତିକ ପର୍ବ। ଓଡ଼ିଶାରୁ ଆସି ବାଙ୍ଗାଲୋରରେ ରହୁଥିବା ଓଡ଼ିଆମାନେ ସ୍ଥାନୀୟ ସଂସ୍କୃତି ସହ ସମନ୍ୱୟ ରଖି ନିଜ ଅଞ୍ଚଳର ସାଂସ୍କୃତିକ ରୀତିନୀତି ଓ ପରମ୍ପରାକୁ ଜାରି ରଖିବା ଉଲ୍ଲେଖନୀୟ ସଫଳତା। ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଏହି ପରମ୍ପରା ଆଗକୁ ଜାରି ରହୁ ବୋଲି ସେ କାମନା କରିଥିଲେ।ସମ୍ମାନିତ ଅତିଥି ସନ୍ଦୀପ ପଟ୍ଟନାୟକ କହିଥିଲେ, ଓଡ଼ିଶାଠାରୁ ଦୂର ବାଙ୍ଗାଲୋରରେ ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରିବା ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ଏକତାର ପ୍ରତୀକ। ବାଙ୍ଗାଲୋରରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ନିର୍ମାଣ ପାଇଁ ସେ ୧୧ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ବରିଷ୍ଠ ସାମ୍ବାଦିକ ବିରାଜ କୁମାର ମିଶ୍ର ନୂଆଁଖାଇକୁ ପଶ୍ଚିମ ଓଡ଼ିଶାର ଭାଇଚାରା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ଅଭିହିତ କରିଥିଲେ। ରାଜ୍ୟ ବାହାରେ ଏତେ ବଡ଼ ଆୟୋଜନକୁ ଶୃଙ୍ଖଳିତ ଭାବେ କରିବା ଏକ ବଡ଼ ସଫଳତା ବୋଲି ସେ କହିଥିଲେ। ଶୈଳେଶ ଦାନି ମଧ୍ୟ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ।ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ର ସମାଜସେବୀ ସୁଜିତ କୁମାର ଦାଶଙ୍କୁ ‘ଜୁହାର ସମ୍ମାନ’ ପ୍ରଦାନ କରାଯାଇଥିଲା। ସନ୍ଦୀପ ପଟ୍ଟନାୟକ, ବିରାଜ କୁମାର ମିଶ୍ର ଓ ଶୈଳେଶ ଦାନିଙ୍କୁ ମଧ୍ୟ ଜୁହାର ପରିବାର ପକ୍ଷରୁ ସମ୍ମାନିତ କରାଯାଇଥିଲା।ମାନସ ରଞ୍ଜନ ମିଶ୍ର ମଞ୍ଚ ସଂଚାଳନ କରିଥିବା ବେଳେ ସ୍ମରଣିକା ଓ ପ୍ରିୟା ସହଯୋଗ କରିଥିଲେ। ବଲାଙ୍ଗିରର ଦୁଲଫୁଲ ଦଳ, ଏକାଗ୍ର ସ୍ୱରସା ଏକାଡେମୀ, ମମତା ଓ ବିନିଶା, ନିଭିଶିକା ଓ ତନିଷ୍କା ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିଲେ। ପ୍ରସନ୍ନ ପାଢ଼ୀ ସମଲେଇ ଭଜନ ଗାଇଥିବା ବେଳେ ସୁଶ୍ରୀ ଓ ସୁରେଖା ମେହେର ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ।ଶ ଜୋଜୋଙ୍କ କମେଡି ପରିବେଷଣ ସହ ଲୋକପ୍ରିୟ ସମ୍ବଲପୁରୀ ଗାୟକ ରୁକୁ ସୁନା, ଜୟଶ୍ରୀ ଷଡ଼ଙ୍ଗୀ, ସଞ୍ଜୁ ମହାନ୍ତି ଏବଂ ସମ୍ବଲପୁରୀ ରାପର ଆଲେକ୍ସ ବାବା ଓ ତାଙ୍କ ଦଳ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। ସନ୍ଦୀପ୍ତ ଓ ଚନ୍ଦନ ମେହେରଙ୍କ ନେତୃତ୍ୱରେ ବିୟୁ ମଡେଲ ଓ ତୋସନି ଫ୍ୟାସନ୍ ଅନୁଷ୍ଠାନର ସହଯୋଗରେ ସମ୍ବଲପୁରୀ ଫ୍ୟାସନ୍ ସୋ ଆୟୋଜିତ ହୋଇଥିଲା।ସମ୍ବଲପୁରରୁ ଆସିଥିବା ମଧୁଙ୍କ ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ—ଚାଉଳ ବରା, ଆରିସା ପିଠା, ମାଲପୁଆ, ଆମ୍ବିଳ, ଘାଣ୍ଟ ଓ ରସବରା—ର ମଧ୍ୟ ଅତିଥି ଓ ଦର୍ଶକମାନେ ମଜା ନେଇଥିଲେ।କାର୍ଯ୍ୟକ୍ରମରେ ରାଜନେତା, ପ୍ରଶାସକ, ଶିକ୍ଷାବିତ୍ ଓ ସଂସ୍କୃତିପ୍ରେମୀଙ୍କ ସମେତ ୫ ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ। ଆୟୋଜନରେ ସଭାପତି ଶୋଭନ ଦାଶ, ଉପସଭାପତି ପ୍ରିୟା ନାୟକ, ସାଧାରଣ ସମ୍ପାଦକ ସତ୍ୟଜିତ୍ ଚଇନି, କୋଷାଧ୍ୟକ୍ଷ ଅନିଲ କୁମାର ଦାଶ, ସହକୋଷାଧ୍ୟକ୍ଷ ମଳୟ ସାହୁ, ପ୍ରତିଷ୍ଠାତା ସଦସ୍ୟ ବିଶ୍ୱଜିତ୍ ପ୍ରଧାନ, ପୀତାମ୍ବର ପରିଚ୍ଛା, ପ୍ରଭାତ ମିଶ୍ର, ସିଞ୍ଚାନ ମିଶ୍ର, ସଚ୍ଚିଦାନନ୍ଦ କର, ଗଣମାଧ୍ୟମ ସଂଯୋଜକ ସୁଦୀପ୍ତ ପଣ୍ଡା, ଚିନ୍ମୟ ଭୋଇ, ଅଂଶୁମାନ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

