ସମ୍ବଲପୁର,୧୩/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲାର ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଜମନକିରା ରେଞ୍ଜର ଭୋଜପୁର ସେକ୍ସନରେ ବନ ବିଭାଗ ପକ୍ଷରୁ ଏକଦିବସୀୟ ବନଖଣ୍ଡସ୍ତରୀୟ ଗଜସାଥୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ, ଗଜସାଥୀ, ସରପଞ୍ଚ, ସାମ୍ବାଦିକ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇଥିଲେ।ଜମନକିରା ରେଞ୍ଜର ଲେଖାରାଣୀ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ବାମରା ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍ଓ ବିକ୍ରମ ଦେବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣିଷ-ହାତୀ ସଂଘର୍ଷ ହ୍ରାସ ଏବଂ ଜନଜୀବନ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ରହୁଥିବାରୁ ସ୍ଥାନୀୟ ଲୋକେ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଥିଲେ। ଭୋର୍ ସମୟ ଓ ସନ୍ଧ୍ୟାବେଳେ ଅଯଥା ଜଙ୍ଗଲ କିମ୍ବା ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ନଯିବାକୁ ସେ ପରାମର୍ଶ ଦେଇଥିଲେ। ହାତୀ ଦେଖାଗଲେ ସେମାନଙ୍କଠାରୁ ସୁରକ୍ଷିତ ଦୂରତା ରଖି ବନ ବିଭାଗକୁ ସୂଚନା ଦେବା ଉଚିତ ବୋଲି ମଧ୍ୟ କହିଥିଲେ। ଏହାଦ୍ୱାରା ହାତୀ ଆକ୍ରମଣଜନିତ ମୃତ୍ୟୁ ଓ ଅନ୍ୟାନ୍ୟ ଅଘଟଣକୁ ରୋକାଯାଇପାରିବ।ଶିକାରୀଙ୍କ ଗତିବିଧି, ବେଆଇନ ବିଦ୍ୟୁତ୍ ତାର ବିଛାଇବା ଏବଂ ଖୋଲା କୂଅ ଭଳି ବିପଦ ସମ୍ପର୍କରେ ତୁରନ୍ତ ବନ ବିଭାଗକୁ ଜଣାଇବାକୁ ଡିଏଫ୍ଓ ଆହ୍ୱାନ ଦେଇଥିଲେ। ଏପରି ସୂଚନା ଦେଉଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ଏବଂ ଯୋଗ୍ୟ କ୍ଷେତ୍ରରେ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଏସିଏଫ୍ ଆଲୋକ ଷଡ଼ଙ୍ଗୀ ହାତୀ ଓ ମଣିଷଙ୍କ ସହାବସ୍ଥାନ ଉପରେ ଗୁରୁତ୍ୱ ଦେଇଥିଲେ। ହାତୀଙ୍କ ସ୍ୱଭାବ, ପାରିବାରିକ ଜୀବନ, ଚଳପ୍ରଚଳ ଓ ବିଭିନ୍ନ ପରିସ୍ଥିତିରେ ସେମାନଙ୍କ ଆଚରଣ ସମ୍ପର୍କରେ ସେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ଏସିଏଫ୍ ରେଶମା ଲାକ୍ରା ମଣିଷ ଓ ହାତୀ ଉଭୟଙ୍କ ସୁରକ୍ଷାର ଆବଶ୍ୟକତା ଉପରେ ମତ ରଖିଥିଲେ। ଅଞ୍ଚଳରେ ଚଳପ୍ରଚଳ କରୁଥିବା ‘ରାଜୁ’ ହାତୀର ଉଦାହରଣ ଦେଇ ସେ ବିକାଶ ନାମରେ ଜଙ୍ଗଲ ନଷ୍ଟ ନକରିବାକୁ ଆହ୍ୱାନ ଦେଇଥିଲେ। ଜଙ୍ଗଲ ନଷ୍ଟ ହେଲେ ହାତୀଙ୍କ ବାସସ୍ଥାନ ସହ ଅଞ୍ଚଳର ପରିବେଶ ଓ ଜୈବବିବିଧତା ପ୍ରଭାବିତ ହେବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଦୀପକ ମହାନନ୍ଦ ହାତୀଙ୍କ ପରିବେଶୀୟ ଗୁରୁତ୍ୱ ଓ ସୁରକ୍ଷା ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ। ଗୋଟିଏ ହାତୀ ଦୈନିକ ପ୍ରାୟ ଏକରୁ ଦେଢ଼ କ୍ୱିଣ୍ଟାଲ ଖାଦ୍ୟ ଖାଉଥିବା ସହ ବହୁ ପରିମାଣର ଜଳ ଆବଶ୍ୟକ କରେ ବୋଲି ସେ କହିଥିଲେ। ବାମରା ବନଖଣ୍ଡର ପାଞ୍ଚଟି ରେଞ୍ଜରେ ହାତୀ ଓ ଜଙ୍ଗଲ ସୁରକ୍ଷା ପାଇଁ ୧୨୫ଟି ଗଜସାଥୀ ବନ ସୁରକ୍ଷା ସମିତି ଗଠନ ହୋଇଥିବା ସେ ସୂଚନା ଦେଇଥିଲେ। ହାତୀ ଜଙ୍ଗଲର ପରିବେଶ ସନ୍ତୁଳନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ ବୋଲି ସେ ଉଲ୍ଲେଖ କରିଥିଲେ। ବଡ଼ରମା ରେଞ୍ଜର ଗିରିଧାରୀ ପ୍ରଧାନ ଗଜସାଥୀ, ଗ୍ରାମବାସୀ ଓ ବନ ବିଭାଗର ମିଳିତ ସହଯୋଗରେ ହାତୀଙ୍କ ସୁରକ୍ଷା ଏବଂ ମଣିଷ-ହାତୀ ସଂଘର୍ଷ ହ୍ରାସ କରାଯାଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଫରେଷ୍ଟର ହେମନ୍ତ କୁମାର ମିଶ୍ର, ଶିଶିର ସାମଲଙ୍କ ସମେତ ବିଭିନ୍ନ ରେଞ୍ଜର ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ୱାଚରମାନେ ସହଯୋଗ କରିଥିଲେ। ଶେଷରେ ରେଞ୍ଜର ଲେଖାରାଣୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ

