ସମ୍ବଲପୁର,୧୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ମା’ ଦୁର୍ଗାଙ୍କ ପୂଜୋତ୍ସବ ଅବସରରେ ସିନ୍ଦୁରପଙ୍କଠାରେ ଆସନ୍ତା ବିଜୟା ଦଶମୀ, ବୁଧବାର ୨୧ ଅକ୍ଟୋବରରେ ଏକ ଦିବସୀୟ ‘ରାବଣ ଦରବାର’ ଆୟୋଜିତ ହେବ। ସାର୍ବଜନୀନ ଦୁର୍ଗାପୂଜା କମିଟି, ସିନ୍ଦୁରପଙ୍କ ପକ୍ଷରୁ ହେବାକୁ ଥିବା ଏହି ନିଆରା କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।ରାବଣ ଦରବାରରେ ମହାରାଜ ରାବଣ ଭୂମିକାରେ ଅଭିନୟ ପାଇଁ ବିଶିଷ୍ଟ କଳାକାର କମଳ ଲୋଚନ ପଣ୍ଡାଙ୍କୁ କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇ ବିଧିବଦ୍ଧ ଭାବେ ବରଣ କରାଯାଇଛି।ଏହି ଆୟୋଜନ ମାଧ୍ୟମରେ ପୌରାଣିକ ଚରିତ୍ର ଓ ରାମାୟଣର କଥାବସ୍ତୁକୁ ଜନମାନସରେ ଉପସ୍ଥାପନ କରିବା ସହ ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ଦେବା ଉଦ୍ୟମ କରାଯାଇଛି।ବରଣ କାର୍ଯ୍ୟକ୍ରମରେ କମିଟିର ଅଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା, ଉପାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ବେହେରାଙ୍କ ସମେତ ବରିଷ୍ଠ ସଦସ୍ୟ ଶ୍ରବଣ ଡାଲମିଆ, ଆନନ୍ଦ ଦାଶ, ଗୋବର୍ଦ୍ଧନ ବାରିକ, ବିକାଶ ସାହୁ, କୁମୁଦ ସାହୁ, ରାଜେନ୍ଦ୍ର ଧର, ବିଦ୍ୟାଧର ପଣ୍ଡା, ଦେବାଶିଷ ନାଥ, କପିଳାସ ସାହୁ, ଦେବଦତ୍ତ ପ୍ରଧାନ ଓ ପ୍ରଦ୍ୟୋତ ପଟ୍ଟନାୟକ ଉପସ୍ଥିତ ଥିଲେ।କମିଟିର ଏହି ଆୟୋଜନ ବିଜୟା ଦଶମୀର ଉତ୍ସବମୁଖର ପରିବେଶକୁ ଆହୁରି ଆକର୍ଷଣୀୟ କରିବା ସହ ସ୍ଥାନୀୟ କଳା, ସଂସ୍କୃତି ଓ ପୌରାଣିକ ପରମ୍ପରାର ପ୍ରଚାରରେ ସହାୟକ ହେବ ବୋଲି ଆଶା କରାଯାଉଛି I

