ସମ୍ବଲପୁର,୧୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ମହାନଗର ନିଗମର ୩୪ ନମ୍ବର ୱାର୍ଡ ଅନ୍ତର୍ଗତ ଚାରଭାଟିଠାରେ ଆଦିବାସୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଦ୍ୱିତୀୟ ନିଶୁଳ୍କ ଶିକ୍ଷା କେନ୍ଦ୍ର ଉଦ୍ଘାଟିତ ହୋଇଛି। ଆଦିବାସୀ ଅଧ୍ୟୁଷିତ ଏହି ବସ୍ତିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ କେନ୍ଦ୍ରଟି କାର୍ଯ୍ୟ କରିବ।ଟ୍ରଷ୍ଟର ସଭାପତି ରାକ୍ଷୀ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସଭାରେ ସମ୍ବଲପୁର ସଦର ଏସ୍ଡିପିଓ ତୋଫାନ ବାଗ ଅତିଥି ଭାବେ ଯୋଗଦେଇଥିଲେ। ଉପସ୍ଥିତ ଅଭିଭାବକମାନଙ୍କୁ ସେ ପିଲାମାନଙ୍କୁ ନିୟମିତ ଶିକ୍ଷା କେନ୍ଦ୍ରକୁ ପଠାଇବାକୁ ଅନୁରୋଧ କରିଥିଲେ। ଚାରଭାଟି ଅଞ୍ଚଳରେ ବେଆଇନ ନିଶା କାରବାର ବ୍ୟାପକ ଥିବାବେଳେ ଶିକ୍ଷାର ପ୍ରସାର ଓ ସଚେତନତା ଦ୍ୱାରା ଏହି ସମସ୍ୟାର ସମାଧାନ ସମ୍ଭବ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ଭାବେ ଇଂ. ସିଦ୍ଧାର୍ଥ ଦାସ, ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇ ଓ ଦିନେଶ କୁମାର ସେଠ ଯୋଗଦେଇଥିଲେ। ବସ୍ତି ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଟ୍ରଷ୍ଟର ଉଦ୍ୟମକୁ ଅତିଥିମାନେ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଆଦିବାସୀ ସମାଜର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା।ଟ୍ରଷ୍ଟର ସମ୍ପାଦକ ସହଦେବ ମୁଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେନ୍ଦ୍ରରେ ପ୍ରତିଦିନ ସନ୍ଧ୍ୟାରେ ଦୁଇ ଘଣ୍ଟା ଶିକ୍ଷାଦାନ ପାଇଁ ଜଣେ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ଉଦ୍ଘାଟନୀ ଅବସରରେ ଛାତ୍ରଛାତ୍ରୀଙ୍କୁ ଖାତା ଓ କଲମ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ଶୁଭମ ମୁଣ୍ଡା, ରଜନୀ ମୁଣ୍ଡା ଓ ସୁସ୍ମିତା ଓରାମ ସହଯୋଗ କରିଥିଲେ। କେନ୍ଦ୍ରର ଶିକ୍ଷୟିତ୍ରୀ କମଲିନୀ ଓରାମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ

