ସମ୍ବଲପୁର,୧୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ସହରର ଚର୍ଚ୍ଚ ଛକ ନିକଟରେ ଏକ ମୋଟରସାଇକେଲ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କୁ ସାମ୍ବାଦିକ ଗୌତମ ମିଶ୍ର ଉଦ୍ଧାର କରି ସଦର ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ତାଙ୍କ ଏହି ତତ୍ପରତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୩ଟାରେ ଚର୍ଚ୍ଚ ଛକ ନିକଟରେ ଜଣେ ଯୁବକ ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରିବାକୁ ଯାଉଥିବା ବେଳେ ବାଇକ୍ର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏଥିରେ ସେ ରାସ୍ତା ଉପରେ ପଡ଼ି ଗୁରୁତର ଆହତ ହେବା ସହ ତାଙ୍କ ଶରୀରରୁ ରକ୍ତସ୍ରାବ ହୋଇଥିଲା। ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ସାମ୍ବାଦିକ ଗୌତମ ମିଶ୍ର ଘଟଣାସ୍ଥଳରେ ଅଟକିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ଯୁବକଙ୍କୁ ଉଦ୍ଧାର କରି ସେ ନିଜ ଗାଡ଼ିରେ ସଦର ହସ୍ପିଟାଲକୁ ନେଇଥିଲେ। ଯୁବକଙ୍କୁ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି। ଠିକ୍ ସମୟରେ ହସ୍ପିଟାଲ ଆଣିବା ଫଳରେ ଜରୁରୀ ଚିକିତ୍ସା ଯୋଗାଇବା ସହଜ ହୋଇଥିବା ଡାକ୍ତର କହିଛନ୍ତି। ଗୌତମ ମିଶ୍ରଙ୍କ ଏହି ମାନବିକ ପଦକ୍ଷେପ ପାଇଁ ତାଙ୍କୁ ସାଧାରଣରେ ପ୍ରଶଂସା କରାଯାଉଛି

