ସମ୍ବଲପୁର,୧୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ମହାନଗର ନିଗମ କମିଶନର ରେହାନ କ୍ଷତ୍ରୀ ହୀରାକୁଦରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।ଏଚ୍ଆଇଡବ୍ଲ୍ୟୁ ନିକଟରେ ଚାଲିଥିବା କଲଭର୍ଟ ନିର୍ମାଣ କାର୍ଯ୍ୟର ସମୀକ୍ଷା ପରେ ସେ ଗୁଜାତଲସ୍ଥିତ ଶ୍ମଶାନଘାଟ ପରିଦର୍ଶନ କରିଥିଲେ। ଶ୍ମଶାନଘାଟର ସ୍ଥାନାନ୍ତର ସମ୍ପର୍କରେ ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କଲ୍ୟାଣ ମଣ୍ଡପର ପୁନରୁଦ୍ଧାର ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଲୋକଙ୍କ ପ୍ରସ୍ତାବ ଗ୍ରହଣ କରିଥିଲେ। ଏହା ସହ ପ୍ରସ୍ତାବିତ ଖାଓ ଗଲି, ବସ୍ଷ୍ଟାଣ୍ଡ ଓ ଅଙ୍ଗନବାଡ଼ି କେନ୍ଦ୍ର ଆଦି ସ୍ଥାନ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସମାଜସେବୀ କାର୍ତ୍ତିକ କଲେତ, ମନୋଜ ଷଣ୍ଢ, ଅମନ ମହାନଦ, ଦିଲୀପ ସୁନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ହୀରାକୁଦବାସୀଙ୍କ ସମସ୍ୟାର ସମାଧାନ ଓ ଆବଶ୍ୟକୀୟ କାର୍ଯ୍ୟଗୁଡ଼ିକୁ ଶୀଘ୍ର ଆଗେଇ ନେବା ଉପରେ ଏହି ପରିଦର୍ଶନରେ ଗୁରୁତ୍ୱ ଦିଆଯାଇଥିଲା

