ନବରଙ୍ଗପୁର,14//10,(ଉତ୍କଳ ସମାଚାର): ସେବା ସଂକଳ୍ପ ଅଭିଯାନ–୨୦୨୬ ଅବସରରେ ନବରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆଜି ସକାଳ ୧୧ଟା ସମୟରେ ନବରଙ୍ଗପୁରସ୍ଥିତ ଜେଇଏଲ୍ସି ଉଚ୍ଚ ବିଦ୍ୟାଳୟଠାରେ ସଡ଼କ ସୁରକ୍ଷା ସଚେତନତାକୁ ଆଧାର କରି ଏକ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ସ୍ଲୋଗାନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି କରିବା ସହ ଟ୍ରାଫିକ୍ ନିୟମ ପାଳନ ଓ ଦାୟିତ୍ୱପୂର୍ଣ୍ଣ ଯାତାୟାତ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ପ୍ରତିଯୋଗିତାରେ ମୋଟ ୭୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେଥିମଧ୍ୟରୁ ୪୨ ଜଣ ଚିତ୍ରାଙ୍କନ ଏବଂ ୩୦ ଜଣ ସ୍ଲୋଗାନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନେ ନିଜର ସୃଜନଶୀଳତା ଓ କଳାତ୍ମକ ଅଭିବ୍ୟକ୍ତି ମାଧ୍ୟମରେ ସଡ଼କ ସୁରକ୍ଷାର ବିଭିନ୍ନ ଦିଗକୁ ଉପସ୍ଥାପନ କରିଥିଲେ।ଛାତ୍ରଛାତ୍ରୀମାନେ ଟ୍ରାଫିକ୍ ସିଗ୍ନାଲ୍ ମାନିବା, ଦୁଇଚକିଆ ଯାନ ଚଳାଇବା ସମୟରେ ହେଲ୍ମେଟ୍ ପିନ୍ଧିବା, ଚାରିଚକିଆ ଯାନରେ ସିଟ୍ବେଲ୍ଟ ବ୍ୟବହାର କରିବା, ଜେବ୍ରା କ୍ରସିଂ ଦେଇ ରାସ୍ତା ପାର୍ ହେବା ଏବଂ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ଭଳି ବିଭ୍ରାନ୍ତିକର ଉପକରଣ ବ୍ୟବହାରରୁ ନିବୃତ୍ତ ରହିବା ଆଦି ବିଷୟକୁ ଚିତ୍ର ଓ ସ୍ଲୋଗାନ୍ ମାଧ୍ୟମରେ ଉପସ୍ଥାପନ କରିଥିଲେ।ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଚିତ୍ରାଙ୍କନ ରେ ୟୁନିକ ପବ୍ଲିକ ସ୍କୁଲ ର ଛାତ୍ରୀ ଜେ. ସାଇପ୍ରଦା ଆଚାରୀ, ନୋଡାଲ ଆର. ସି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନିତା ଅମାନାତ୍ୟ, ଏକ୍ସ ବୋର୍ଡ ଉଚ୍ଚ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ବନିତା ମାହତ ଯଥାକ୍ରମେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହିପରି ସ୍ଲୋଗାନରେ ୟୁନିକ ପବ୍ଲିକ ସ୍କୁଲ ର ଛାତ୍ରୀ ସଞ୍ଚିତା ନନ୍ଦ, ନୋଡାଲ ଆର. ସି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ୟୁ. ମନୀଷା ପାତ୍ର, ୟୁ. ଜି.ଏଚ. ଏସ ଏଲ୍ଦିପୁର ଶାସନ ସ୍କୁଲ ର ଛାତ୍ର କ୍ରିଷ୍ଣl ହରିଜନ ଯଥାକ୍ରମେ ପ୍ରଥମ, ଦ୍ୱତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେମାନଙ୍କର ସୃଜନଶୀଳତା ଓ ସଚେତନତାମୂଳକ ବାର୍ତ୍ତା ପାଇଁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା।
ଏହି ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଡ଼କ ସୁରକ୍ଷାର ଗୁରୁତ୍ୱ ବୁଝିବା ସହ ନିଜ ପରିବାର, ବିଦ୍ୟାଳୟ ଓ ସମାଜରେ ସଚେତନତାର ବାର୍ତ୍ତା ପ୍ରସାର କରିବାକୁ ପ୍ରେରିତ କରାଯାଇଥିଲା। ସଡ଼କ ଦୁର୍ଘଟଣା ହ୍ରାସ, ଟ୍ରାଫିକ୍ ନିୟମ ପାଳନ ଏବଂ ସୁରକ୍ଷିତ ଯାତାୟାତ ଅଭ୍ୟାସ ଗଠନରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି କାର୍ଯ୍ୟକ୍ରମରେ ବାର୍ତ୍ତା ପ୍ରଦାନ କରାଯାଇଥିଲା।ସଡ଼କ ସୁରକ୍ଷା ନିୟମ ପାଳନ କରିବା, ନିଜେ ସୁରକ୍ଷିତ ରହିବା ଏବଂ ଅନ୍ୟମାନଙ୍କ ଜୀବନ ସୁରକ୍ଷାରେ ସହଯୋଗ କରିବା ହିଁ ଏହି ଅଭିଯାନର ମୂଳ ବାର୍ତ୍ତା।

