ରାଉରକେଲା ୧୪/୧୦,(ଉତ୍କଳ ସମାଚାର) ଏକ ଚୋରି ମାମଲାରେ ୪ ଜଣଙ୍କୁ ଗିରଫ କରାଯିବା ସହ ଚୋରି ଯାଇଥିବା ସୁନାରୂପା ଅଳଙ୍କାରକୁ ଉଦ୍ଧାର କରିଛି ରାଉରକେଲା ଟାଙ୍ଗରପାଲି ପୋଲିସ୍। ସୂଚନା ଅନୁସାରେ ଗତ ୨୦୨୬ ସେପ୍ଟେମ୍ବର ୨୪ ତାରିଖ ଦିନ ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ଫର୍ଟିଲାଇଜର ଟାଉନସିପ୍ କ୍ବାର୍ଟର ନମ୍ବର ବି/୨୦୬ରେ ରହୁଥିବା ସନ୍ତୋଷ କୁମାର ସାହୁ, ଥାନାରେ ହାଜର ହୋଇ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ୨୩.୯.୨୦୨୬ ତାରିଖ ସନ୍ଧ୍ୟା ପ୍ରାୟ ୦୪ଟା ସମୟରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଗଣେଶ ପୂଜା ବିସର୍ଜନ ପାଇଁ ଯାଇଥିଲେ। ରାତି ପ୍ରାୟ ୦୩ଟା ସମୟରେ ଯେତେବେଳେ ସେମାନେ ଘରକୁ ଫେରିଲେ, ସେମାନେ ଦେଖିଲେ ଯେ ସେମାନଙ୍କ ଘରର ତାଲା ଭଙ୍ଗା ଥିଲା ଏବଂ କିଛି ଅଜ୍ଞାତ ବ୍ୟକ୍ତି ସେମାନଙ୍କ ଘରେ ପଶି ସୁନା, ରୂପା ଅଳଙ୍କାର ଏବଂ ନଗଦ ୧,୫୦,୦୦୦ ଟଙ୍କା ଚୋରି କରି ନେଇଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ସମୟରେ ରାଉରକେଲା ଉଦିତନଗର ଥାନା ଅଧିନସ୍ଥ ମାଲଗୋଦାମ ଅଞ୍ଚଳର ଏମ୍ ଡି ଅରବାଜ୍ (୨୩), ରାଉରକେଲା ଉଦିତନଗର ଥାନା ଅଧିନସ୍ଥ ମାଲଗୋଦାମ ଅଞ୍ଚଳର ସାମଶର ଖାନ୍ ଓରଫ୍ ଲାଲୁଆ (୨୪), ରାଉରକେଲା ଟାଙ୍ଗରପାଲି ଥାନା ଅଧିନସ୍ଥ ଇ- ବ୍ଲକ୍ ମାଉସୀମା ମନ୍ଦିର ନିକଟସ୍ଥ ମନୋଜ କୁମାର ମୁଦୁଲି (୩୬) ଏବଂ ରାଉରକେଲା ଛେଣ୍ଡ ଥାନା ଅଧିନସ୍ଥ ଛେଣ୍ଡ ଫେଜ୍-୧ କ୍ବାର୍ଟର ନଂ ଇ/୫୨ର ପ୍ରଫୁଲ ଚନ୍ଦ୍ର ସାହୁ (୫୦)ଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ନିକଟରୁ ଏକ ହଳ ସୁନା କାନଫୁଲ, ମଙ୍ଗଳସୂତ୍ରର ୩ଟି ସୁନା ଲକେଟ୍, ୮ଟି ସୁନା ମୁଦି, ଗୋଟିଏ ସୁନା ଚେନ୍, ଗୋଟିଏ ରୂପା ଚେନ୍, ଗୋଟିଏ ରୂପା ବ୍ରେସଲେଟ୍, ୨ଟି ରୂପା ଗୋଡ ମୁଦି ଏବଂ ତିନି ହଳ ରୂପା ପାଉଁଜି ଜବତ କରାଯାଇଛି। ଅଭିଯୁକ୍ତଙ୍କ ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ ସମୟରେ ମହମ୍ମଦ ଆରବାଜଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୧ଟି ମାମଲା ରହିଛି। ସେହିପରି ସମସେର ଖାନ୍ ଓରଫ୍ ଲାଲୁଆ ନାମରେ ପୂର୍ବରୁ ଉଦିତନଗର ଥାନାରେ ୨ଟି ଏବଂ ପ୍ଲାଣ୍ଟସାଇଟ୍ ଥାନାରେ ୨ଟି ମାମଲା ରହିଛି। ଅଭିଯୁକ୍ତ ମନୋଜ କୁମାର ମୁଦୁଲି ନାମରେ ପୂର୍ବରୁ ଲହୁଣୀପଡା ଥାନାରେ ଗୋଟିଏ ମାମଲା ରହିଛି। ଗିରଫ ୪ ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସର ୩୩୧(୪)/୩୦୫/୩୩୧(୪)/୩୦୫/୩୧୭(୨)/୩(୫) ଧାରାରେ ଟାଙ୍ଗରପାଲ୍ଲୀ ଥାନାରେ କେସ୍ ନମ୍ବର ୧୯୨/୨୪-୯-୨୦୨୬ ତାରିଖ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।

