ରାଉରକେଲା ୧୪/୧୦,(ଉତ୍କଳ ସମାଚାର)ରାଉରକେଲା ନିକଟସ୍ଥ ଲାଠିକଟା ଥାନା ସୀମା ଅନ୍ତର୍ଗତ ଜାତୀୟ ରାଜପଥ-୧୪୩ରେ ଆଜି ବୁଧବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯାହା ଫଳରେ ଦୁର୍ଘଟଣା ସ୍ଥଳରେ ଆତଙ୍କ ଖେଳିଯାଇଛି। ଦୁଇଟି କାର ମଧ୍ୟରେ ଧକ୍କା ହେବା ଫଳରେ, ମାରୁତି ସୁଜୁକି ଏର୍ଟିଗା ଓଲଟି ପଡ଼ିବାରୁ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଓଲଟି ପଡ଼ିଥିବା ଗାଡ଼ିରେ ଥିବା ଦୁଇଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଧକ୍କା ପରେ ଅନ୍ୟ କାରର ଡ୍ରାଇଭର ନ ଅଟକି ଦ୍ରୁତ ଗତିରେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଲାଠିକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ସଠିକ୍ କାରଣ ଏବଂ ଘଟଣାସ୍ଥଳରୁ ପଳାଇଯାଇଥିବା କାରର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

