ସମ୍ବଲପୁର,୧୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୁଚିଣ୍ଡା ପକ୍ଷରୁ କୁଚିଣ୍ଡାସ୍ଥିତ ବହୁମୁଖୀ କଲ୍ୟାଣ ମଣ୍ଡପଠାରେ ଉପଖଣ୍ଡସ୍ତରୀୟ ବରିଷ୍ଠ ନାଗରିକ ଦିବସ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିନିଧି ବିଭୂତି କଲ୍ୟାଣ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଷାନ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ ପଟେଲ, କୁଚିଣ୍ଡା ସହକାରୀ ଜିଲ୍ଲାପାଳ ରମେଶ ସାହୁ, କୁଚିଣ୍ଡା ବରିଷ୍ଠ ନାଗରିକ ସଂଘର ସଭାପତି ଧୀରେନ୍ଦ୍ର କୁମାର ମହାନ୍ତି, ବାମରାର ଯୋଗବିହାରୀ ପରିଡ଼ା, ଜମନକିରାର ଗୋକୁଳଚନ୍ଦ୍ର ଦାନୀ, ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସତ୍ୟପ୍ରକାଶ ମିଶ୍ର, ଚକ୍ଷୁ ବିଶେଷଜ୍ଞ ଡାକ୍ତର ଋତୁରାଜ ସାହୁ ଏବଂ ସାମାଜିକ ସୁରକ୍ଷା ଅଧିକାରୀ ଜାହ୍ନବୀ ମହାନ୍ତ ଉପସ୍ଥିତ ଥିଲେ। ଦିବସ ପାଳନ ଅବସରରେ ସକାଳ ୭ଟାରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାପରେ ପରିବେଶ ସୁରକ୍ଷା ଓ ମାତୃତ୍ୱ ପ୍ରତି ସମ୍ମାନର ବାର୍ତ୍ତା ନେଇ ‘ଏକ ପେଡ୍ ମା କେ ନାମ୍’ ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କରାଯାଇଥିଲା। ପରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା।ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଅଧିକାରୀ ବରିଷ୍ଠ ନାଗରିକମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। ପରେ ଏକ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସକ୍ରିୟ ଭୂମିକା ପାଇଁ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ଆବଶ୍ୟକତା ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କୁ ଚାଲିବା ଲାଠି ଓ ଅଣ୍ଟା ବେଲ୍ଟ ବଣ୍ଟନ କରାଯାଇଥିଲା।ବରିଷ୍ଠ ନାଗରିକମାନଙ୍କ ସମାଜରେ ସେମାନଙ୍କ ପ୍ରତି ସମ୍ମାନ ଓ ଯତ୍ନର ଭାବନାକୁ ସୁଦୃଢ଼ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

