ସମ୍ବଲପୁର,୧୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ପାର୍ବଣ ଋତୁରେ ଜମନକିରା ବ୍ଲକର ବିଭିନ୍ନ ଗ୍ରାମରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ଉଠିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବେଆଇନ ମଦ କାରବାର ଉପରେ ରୋକ୍ ଲଗାଇବାକୁ ଅବକାରୀ ବିଭାଗ ନିକଟରେ ଦାବି ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଟିକିବା, ଷଣ୍ଢପଥର, ଟିକିଲିପଡ଼ା, ବାରହାମୁଣ୍ଡି, କୁଆଗୁଲା, ଖଇରଡ଼ିହି, ପାଟବନ୍ଧା, ଦଶଘରିଆ, ଅର୍ଡ଼ାପାଲ, ହନୁମାନପଡ଼ା ଓ ଦୋରୋବାହାଲ ସମେତ ବିଭିନ୍ନ ଗ୍ରାମରେ ଦେଶୀ ମଦ ବିକ୍ରି ହେଉଛି। ଜମନକିରା ସଦର ମହକୁମାରେ ଥିବା ଦେଶୀ ମଦ ଭାଟିରୁ କେତେକ ଖୁଚୁରା ବ୍ୟବସାୟୀ ମଦ ନେଇ ଗ୍ରାମାଞ୍ଚଳରେ ବିକ୍ରି କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମଦ ବିକ୍ରି ଯୋଗୁଁ କେତେକ ସ୍ଥାନରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଗ୍ରାମାଞ୍ଚଳରେ ମଦ ବିକ୍ରି ବନ୍ଦ କରିବାକୁ ପୂର୍ବରୁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଲୋକେ ଅଭିଯୋଗ କରିଛନ୍ତି। ପାର୍ବଣ ସମୟରେ ଅବକାରୀ ବିଭାଗ ପକ୍ଷରୁ ଅଧିକ ନଜର ରଖିବା ସହ ଅଭିଯୋଗ ହୋଇଥିବା ଗ୍ରାମଗୁଡ଼ିକରେ ଯାଞ୍ଚ ଓ ଚଢ଼ାଉ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ବେଆଇନ ଭାବେ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଛନ୍ତି। ଏ ସମ୍ପର୍କରେ କୁଚିଣ୍ଡା ଅବକାରୀ ବିଭାଗର ଅଧିକାରୀ ଦେବରାଜ ଖମାରୀ କହିଛନ୍ତି ଯେ, ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପାଟ୍ରୋଲିଂ ବଢ଼ାଯାଇଛି। ବେଆଇନ ମଦ କାରବାର ଉପରେ ବିଭାଗର ନଜର ରହିଛି। ଅଭିଯୋଗ ହୋଇଥିବା ଗ୍ରାମଗୁଡ଼ିକରେ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନିଆଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି I

