ସମ୍ବଲପୁର,୧୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଉଦୟ ଷ୍ଟାର୍ସ ଶାଖା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଗୁରୁବାର ସ୍ଥାନୀୟ ଶ୍ରୀ ମାରୱାଡ଼ୀ ପଞ୍ଚାୟତି ଧର୍ମଶାଳା, ଖେତରାଜପୁରଠାରେ ଏହି ସମାରୋହ ଆୟୋଜିତ ହୋଇଥିଲା।.ସମାରୋହରେ ସମାଜର ବରିଷ୍ଠ ପଦାଧିକାରୀ ଓ ମାରୱାଡ଼ୀ ଯୁବ ମଞ୍ଚର ସଦସ୍ୟମାନେ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ କାର୍ଯ୍ୟକର୍ତ୍ତା ବିଜୟ କେଡ଼ିଆ, ସିଏ ଜୟଦୟାଲ ଅଗ୍ରୱାଲ, ପରିଷଦର ପ୍ରାନ୍ତୀୟ ସହକୋଷାଧ୍ୟକ୍ଷ ପରାଗ ଅଗ୍ରୱାଲ, ମଧୁ କେଡ଼ିଆ, ଶମ୍ଭୁ ପ୍ରସାଦ ବିନକାୱାଲେ, ଦିଲୀପ ଶର୍ମା, ଶମ୍ଭୁ ବରେଲିଆ, ଗଣେଶ ପାଲିୱାଲ, ସନ୍ତୋଷ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ ଓ ଯୁଗଳକିଶୋର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।ସମସ୍ତ ବିଜୟୀ ଛାତ୍ରନେତାଙ୍କୁ ମାରୱାଡ଼ୀ ସାଫା ଓ ଦୁପଟ୍ଟା ପିନ୍ଧାଇ ସମ୍ମାନିତ କରାଯିବା ସହ ଉଜ୍ଜ୍ୱଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଯାଇଥିଲା। ଉଦୟ ଷ୍ଟାର୍ସ ଶାଖାର ପ୍ରିୟାଂଶୁ ଅଗ୍ରୱାଲ କହିଥିଲେ, “ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି। ନବନିର୍ବାଚିତ ଛାତ୍ରନେତାମାନେ ଛାତ୍ର ହିତ ଓ ରାଷ୍ଟ୍ର ହିତ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବେ ବୋଲି ଆମର ବିଶ୍ୱାସ।”
ଜି.ଏମ୍. ବିଶ୍ୱବିଦ୍ୟାଳୟର ସଭାପତି ସ୍ୱାଧୀନ ଆଚାର୍ଯ୍ୟ, ଉପସଭାପତି ସଙ୍କେତ ସାହୁ ଓ ସାଧାରଣ ସମ୍ପାଦକ ନିଖିଳ ଅଗ୍ରୱାଲ, ସମ୍ବଲପୁର ମହିଳା ସରକାରୀ ମହାବିଦ୍ୟାଳୟର ସଭାପତି ସିଙ୍ଘାନୀ ମହାକୁର, ଏନ୍.ଏସ୍.ସି.ବି. କଲେଜର ସଭାପତି ଓ ସାଧାରଣ ସମ୍ପାଦକଙ୍କ ସମେତ ଅନ୍ୟ ବିଜୟୀ ପଦାଧିକାରୀ ଏବଂ ବହୁ ସମର୍ଥକ ଛାତ୍ର ଉପସ୍ଥିତ ଥିଲେ।ଜି.ଏମ୍. ବିଶ୍ୱବିଦ୍ୟାଳୟର ସାଧାରଣ ସମ୍ପାଦକ ଭାବେ ବିଜୟୀ ନିଖିଳ ଅଗ୍ରୱାଲଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ବିଜୟ ସମଗ୍ର ମାରୱାଡ଼ୀ ସମାଜ ପାଇଁ ଗର୍ବର ବିଷୟ ବୋଲି ଅତିଥିମାନେ କହିଥିଲେ। ସମାରୋହର ସଫଳ ଆୟୋଜନରେ ଉଦୟ ଷ୍ଟାର୍ସ ଶାଖାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
