ସମ୍ବଲପୁର,୧୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସାଇବର ଠକେଇ ରୋକିବା ସହ ଠକେଇର ଶିକାର ଲୋକଙ୍କ ଅର୍ଥ ଫେରାଇବା କ୍ଷେତ୍ରରେ ସମ୍ବଲପୁର ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସେସ୍ ପୋଲିସ ଥାନାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଗତ ଦୁଇ ମାସ ମଧ୍ୟରେ ବିଭିନ୍ନ ସାଇବର ଠକେଇ ମାମଲାରୁ ୩୫ ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କରାଯାଇଛି। ଏଥିସହ ଚୋରି ଓ ହଜିଯାଇଥିବା ୧୦୦ଟି ମୋବାଇଲ୍ ଫୋନ୍ ଉଦ୍ଧାର କରି ସମ୍ପୃକ୍ତ ଲୋକଙ୍କୁ ଫେରାଇ ଦିଆଯାଇଛି।ପୋଲିସ ସୂଚନା ଅନୁଯାୟୀ, ଲିପକ ପ୍ରଧାନଙ୍କ ନାମରେ ଥିବା ଏକ ମାମଲାରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ ଅଭିଯୋଗ ହୋଇଥିଲା। ଏଥିରୁ ୧୫ ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କରାଯାଇଛି। ଅବଶିଷ୍ଟ ଟଙ୍କାରେ କିଣାଯାଇଥିବା ଅଳଙ୍କାର ମଧ୍ୟ ଜବତ ହୋଇଛି।
ସେହିପରି ସୁନୀଲ କୁମାର ସାହୁଙ୍କ ମାମଲାରେ ୬ ଲକ୍ଷ ୯୪ ହଜାର ୮୮୮ ଟଙ୍କା ଠକେଇ ଅଭିଯୋଗ ହୋଇଥିବାବେଳେ ୬ ଲକ୍ଷ ୧୨ ହଜାର ଟଙ୍କା ଉଦ୍ଧାର ହୋଇଛି। ବାକି ଟଙ୍କା ପୀଡ଼ିତଙ୍କ ଆକାଉଣ୍ଟକୁ ଫେରସ୍ତ ପାଇଁ ଅଟକ ରଖାଯାଇଛି। ହେମନ୍ତ ବିଶ୍ୱାଳଙ୍କ ମାମଲାରେ ୩୭ ଲକ୍ଷ ୮୯ ହଜାର ଟଙ୍କାର ଠକେଇ ଅଭିଯୋଗରୁ ୨ ଲକ୍ଷ ୧୧ ହଜାର ଟଙ୍କା ଉଦ୍ଧାର କରାଯାଇଛି।ଜଗନ୍ନାଥ ଘୋଷଙ୍କ ମାମଲାରେ ୨ ଲକ୍ଷ ୬୭ ହଜାର ଟଙ୍କାର ଠକେଇ ଅଭିଯୋଗରୁ ୨ ଲକ୍ଷ ୮ ହଜାର ଟଙ୍କା ଉଦ୍ଧାର ହୋଇଛି। ଅନ୍ୟ ଏକ ମାମଲାରେ ସତ୍ୟମ ମେହେରଙ୍କ ନାମରେ ଥିବା ୩ ଲକ୍ଷ ୫୦ ହଜାର ଟଙ୍କାର ଠକେଇ ଅଭିଯୋଗରୁ ୧ ଲକ୍ଷ ୫ ହଜାର ଟଙ୍କା ଉଦ୍ଧାର ହୋଇଛି। ଅନ୍ୟାନ୍ୟ ସାଇବର ଠକେଇ ଅଭିଯୋଗରୁ ଆଉ ୨ ଲକ୍ଷ ୨୫ ହଜାର ୭୫ ଟଙ୍କା ଉଦ୍ଧାର କରାଯାଇଛି।ମନି ରେଷ୍ଟୋରେସନ୍ ମଡ୍ୟୁଲ୍ (ଏମ୍ଆର୍ଏମ୍) ପୋର୍ଟାଲ୍ ମାଧ୍ୟମରେ ୭୪ ଜଣ ପୀଡ଼ିତଙ୍କୁ ମୋଟ ୬ ଲକ୍ଷ ୩୮ ହଜାର ୯୨୫ ଟଙ୍କା ଫେରସ୍ତ କରାଯାଇଛି। ସାଇବର ଠକେଇର ଟଙ୍କା ଚିହ୍ନଟ, ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥା ସହ ସମନ୍ୱୟ ଏବଂ ପୀଡ଼ିତଙ୍କୁ ଅର୍ଥ ଫେରସ୍ତ ପାଇଁ ପୋଲିସର ଉଦ୍ୟମ ଜାରି ରହିଛି।
ସାଇବର ଠକେଇର ଶିକାର ହେଲେ ତୁରନ୍ତ ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦କୁ ଫୋନ୍ କରିବା କିମ୍ବା www.cybercrime.gov.in� ୱେବ୍ସାଇଟ୍ରେ ଅଭିଯୋଗ କରିବାକୁ ପୋଲିସ ପରାମର୍ଶ ଦେଇଛି। ଅନଲାଇନ୍ ନିବେଶ ଠକେଇ, ନକଲି ଗ୍ରାହକ ସେବା ନମ୍ବର, ଫିସିଂ ଲିଙ୍କ୍ ଓ ଅନ୍ୟର ପରିଚୟ ବ୍ୟବହାର କରି ହେଉଥିବା ଠକେଇରୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି I
