ସମ୍ବଲପୁର,୧୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ):କଟାପାଲି ହାଇସ୍କୁଲରେ ଶୁକ୍ରବାର ପ୍ରଧାନଶିକ୍ଷକ ଅନୀଲ ମିଶ୍ରଙ୍କ ତତ୍ତ୍ୱାବଧାନ ଓ ହିନ୍ଦୀ ଶିକ୍ଷକ ପ୍ରଶାନ୍ତ କୁମାର ଖମାରୀଙ୍କ ସଂଯୋଜନାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ସମାରୋହ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଥିଲା।ମହମ୍ମଦପୁର ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ କମଳା ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାଜେଶ ପ୍ରଧାନ ଓ ସୁବାସ ନାୟକ ମଞ୍ଚାସୀନ ଥିଲେ। ରାଷ୍ଟ୍ରୀୟ ଏକତା ଓ ଦେଶର ବିକାଶରେ ହିନ୍ଦୀ ଭାଷାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ଅତିଥିମାନେ ମତ ଦେଇଥିଲେ। ସାଂସ୍କୃତିକ ଓ ସାମାଜିକ ଏକତାକୁ ଅକ୍ଷୁଣ୍ଣ ରଖିବାରେ ହିନ୍ଦୀ ଭାଷାର ଭୂମିକା ଉପରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଧନକଉଡ଼ା ବ୍ଲକରେ ଗତ ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ହିନ୍ଦୀ ବିଷୟରେ ସର୍ବାଧିକ ନମ୍ବର ରଖିଥିବା ବିକାଶ ଗୁପ୍ତାଙ୍କୁ ଜିଲ୍ଲାସ୍ତରୀୟ ପ୍ରମାଣପତ୍ର ଓ ସ୍ମୃତିଫଳକ ଦେଇ ସମ୍ମାନିତ କରାଯାଇଥିଲା। ହିନ୍ଦୀ ଭାଷାର ମହତ୍ତ୍ୱକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ଦଶମ ଶ୍ରେଣୀର ତେଜସ୍ୱିନୀ ସାହୁ ଓ ନବମ ଶ୍ରେଣୀର ମୋନାକାଂକ୍ଷା ବଢ଼େଇ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ମନବୀନ କୋର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।
