ସମ୍ବଲପୁର,୧୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ମହୋତ୍ସବ-୨୦୨୬ ଆୟୋଜନ ପାଇଁ ଅଇଁଠାପାଲିସ୍ଥିତ ସମ୍ବଲପୁର ପ୍ରେସ୍ କ୍ଲବ୍ରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ନଭେମ୍ବର ୧୦ରୁ ୩୦ ତାରିଖ ଯାଏଁ ବିର୍ସା ମୁଣ୍ଡା ମଇଦାନ (ପିଏଚ୍ଡି ପଡ଼ିଆ)ରେ ଏହି ମହୋତ୍ସବ ଆୟୋଜିତ ହେବ।ମହୋତ୍ସବରେ ‘ମନହରି ହାଟ’, ‘ମୀନା ବଜାର’, ‘ସୁଆଦ ସମ୍ବଲପୁରୀ’ ଓ ‘କଳାଗ୍ରାମ’ ସହ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ରହିବ। ଦିନବେଳା କର୍ମଶାଳା, ଆଲୋଚନା, ଝୋଟି-ଆଲ୍ପନା, ଚିତ୍ରାଙ୍କନ ଓ ଅନ୍ୟାନ୍ୟ ପ୍ରତିଯୋଗିତା ହେବାକୁ ଥିବାବେଳେ ସନ୍ଧ୍ୟାରେ ଗୀତ, ବାଦ୍ୟ ଓ ନୃତ୍ୟ ପରିବେଷଣ କରାଯିବ। ପଶ୍ଚିମାଞ୍ଚଳର ଲୁପ୍ତପ୍ରାୟ ଲୋକକଳା ସହ ସମସ୍ତ ଜିଲ୍ଲାର ମୌଳିକ ପ୍ରଦର୍ଶନ କଳାକୁ ମଞ୍ଚ ଦେବା ଉପରେ ଗୁରୁତ୍ୱ ଦିଆଯିବ। ସମ୍ବଲପୁରୀ ନୃତ୍ୟରେ ପ୍ରୟୋଗାତ୍ମକ ଦିଗକୁ ମଧ୍ୟ ପ୍ରାଧାନ୍ୟ ମିଳିବ।ବୈଠକରେ ପରିଚାଳନା ଓ ଅନ୍ୟାନ୍ୟ କମିଟିର ଆବାହକ ଏବଂ ସଦସ୍ୟ ଚୟନ ସହ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ନେବାକୁ ଆହ୍ୱାନ କରାଯାଇଥିଲା। ପୂର୍ବବର୍ଷର ଅଭିଜ୍ଞତା ଆଧାରରେ ଉପସ୍ଥିତ ସଦସ୍ୟମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ସାଧାରଣ ଲୋକ, ଆଗ୍ରହୀ ବ୍ୟକ୍ତି ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗୁଗୁଲ୍ ଫର୍ମ ମାଧ୍ୟମରେ କମିଟିରେ ଦାୟିତ୍ୱ ନେବା ପାଇଁ ନାମ ଦେଇପାରିବେ।ମହୋତ୍ସବରେ ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ମାନିତ କରାଯିବା ସହ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ‘ଲୋକଶ୍ରୀ’ ସମ୍ମାନ ପ୍ରଦାନ କରାଯିବ। ଶ୍ରେଷ୍ଠ ପୁରୁଷ କଳାକାରଙ୍କୁ ‘ଉର୍କୁଲୁ ଭୋରାସାଗର ଶ୍ରେଷ୍ଠ ପୁରୁଷ କଳାକାର’ ଏବଂ ଶ୍ରେଷ୍ଠ ନାରୀ କଳାକାରଙ୍କୁ ‘ଗୁରୁବାରୀ ମିର୍ଦ୍ଧା ଶ୍ରେଷ୍ଠ ନାରୀ କଳାକାର’ ସମ୍ମାନ ଦିଆଯିବ। ଏହି ଚୟନ ପାଇଁ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ନରସିଂହ ପ୍ରସାଦ ଗୁରୁ, ହଳଧର ନାଗ, ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।ବିଭିନ୍ନ ସ୍ଥାନରେ ନୂଆଁଖାଇ ଜୁହାର ଭେଟ୍ ଆୟୋଜନ କରୁଥିବା କର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ମଧ୍ୟପ୍ରଦେଶ ଓ ଅନ୍ୟାନ୍ୟ ସ୍ଥାନର ପ୍ରତିଷ୍ଠିତ ସମଲେଶ୍ୱରୀ ମନ୍ଦିରର ପୂଜକ ଓ କର୍ମକର୍ତ୍ତାଙ୍କୁ ‘ସମଲେଇ ସମ୍ମାନ’ ପ୍ରଦାନର ପ୍ରସ୍ତାବ ରହିଛି। ସମ୍ବଲପୁରର ଶିକ୍ଷାନୁଷ୍ଠାନଗୁଡ଼ିକର ନୃତ୍ୟ ପ୍ରଦର୍ଶନକୁ ମଧ୍ୟ ସ୍ଥାନ ଦିଆଯିବ।ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଶେଷ ଆୟୋଜନ କରାଯିବ। ଗୀତର ବିଭିନ୍ନ ଭାଷାରେ ଅନୁବାଦିତ ସଂସ୍କରଣ ପରିବେଷଣ ସହ ଗୀତିକାର, ସଙ୍ଗୀତକାର ଓ ଗାୟକ-ଗାୟିକାଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏଥିପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି।ବୈଠକରେ ଦୁର୍ଗା ପ୍ରସାଦ ନାଥ, ରତ୍ନଭୂଷଣ ପୃଷେଠ, ଡାକ୍ତର ବିନୋଦ ନାୟକ, ଗୁରୁ ଦୁର୍ଗା ପ୍ରସାଦ ଦାଶ, ଡ. ସପନ ମିଶ୍ର, ରାମାଶିଷ ତ୍ରିପାଠୀ, ସଦାନନ୍ଦ ପଣ୍ଡା, କାନ୍ହୁ ଜେନା, କ୍ଷୀରୋଦ ମହାରଣା, ଶିଶିର କର, ଅନୁଜ ଜେନା, ପ୍ରସନ୍ନ ଆଚାର୍ଯ୍ୟ, ଡ. ପ୍ରଦୀପ ସେଠ୍, ସ୍ମିତାରାଣୀ ତ୍ରିପାଠୀ, ରାକ୍ଷୀ ମୁଣ୍ଡା, ସନ୍ତୋଷ ପଟ୍ଟନାୟକ, ପ୍ରଭଞ୍ଜନ ପୁରୋହିତ, ରୀମା ବେହେରା, କାଜଲ ନାୟକ, ନୀଳିମା ମୁଣ୍ଡା, ଲକ୍ଷ୍ମୀ ଓରାମ ଓ ସୁରେଶ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ। ମହୋତ୍ସବର ବ୍ୟୟ ଅଟକଳ ଓ ବିଭିନ୍ନ ବିଭାଗର ଆୟୋଜନ ନେଇ ଆଲୋଚନା ହୋଇଥିଲା। ପରବର୍ତ୍ତୀ ବର୍ଦ୍ଧିତ ବୈଠକ ଦଶହରା ଛୁଟି ପରେ ହେବ I

