ରାଉରକେଲା ୨୧/୧୦,(ଉତ୍କଳ ସମାଚାର) ଅଧର୍ମ ଉପରେ ଧର୍ମର ବିଜୟ, ଅନ୍ଯାୟ ଉପରେ ନ୍ଯାୟର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ପାପ ଉପରେ ପୁଣ୍ୟର ବିଜୟକୁ ନେଇ ଶ୍ରୀ ଦଶହରା ପୂଜା କମିଟି ପକ୍ଷରୁ ଆଜି ରାଉରକେଲା ସେକ୍ଟର-୧୩ ମେଲଣ ପଡିଆରେ ଅନୁଷ୍ଠିତ ହୋଇଯାଇଛି ରାବଣ ଦହନ, ବିଜୟା ଦଶମୀ ଉତ୍ସବ ଏବଂ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ଉତ୍ସବ। ଶ୍ରୀ ଦଶହରା ପୂଜା କମିଟି ପକ୍ଷରୁ ଆୟୋଜିତ ରାବଣ ଦହନ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବରେ ରଘୁନାଥପାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ, ମୁଖ୍ୟ ଅତିଥି ଭାବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲା ବେଳେ ସୁନ୍ଦରଗଡ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦୀନାଃ ଦସ୍ତଗୀର୍, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ରାଉରକେଲା ଡିଏଫ୍ଓ ରବିକାନ୍ତ ମିନା ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯିବା ସହିତ ଶ୍ରୀ ଦଶହରା ପୂଜା କମିଟି ପକ୍ଷରୁ ମୁଖ୍ଯ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ, ଅନ୍ଯାୟ ଉପରେ ନ୍ଯାୟର ବିଜୟ, ପାପ ଉପରେ ପୁଣ୍ଯର ବିଜୟକୁ ନେଇ ଏହି ଦଶହରା ଉତ୍ସବ ପାଳନ କରାଯିବା ସହିତ ଦୀର୍ଘ ୬୦ ବର୍ଷରୁ ଊର୍ଦ୍ଧ୍ବ, ରାଉରକେଲାରେ ରାବଣ ଓ କୁମ୍ଭକର୍ଣ୍ଣର ଦହନ କରାଯାଉଛି, ଯାହାକି ଓଡିଶାର ପ୍ରଥମ କରି ରାଉରକେଲାରେ ଆରମ୍ଭ କରାଯାଇଛି। ଏହି ରାବଣ ଦହନ କାର୍ଯ୍ୟକ୍ରମ ସହିତ ଆତସବାଜି କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଆସିଥିବାରୁ ସମସ୍ତଙ୍କୁ ମୁଖ୍ୟ ଅତିଥି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କ ଦ୍ବାରା ୫୫ ଫୁଟ ଉଚ୍ଚର ରାବଣ ଓ ୫୦ ଫୁଟ ଉଚ୍ଚର କୁମ୍ଭକର୍ଣ୍ଣ ଦେହରେ ଅଗ୍ନି ସଂଯୋଗ କରାଯିବା ସହିତ ଆତସବାଜି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ମଞ୍ଚ ଉପରେ ଶ୍ରୀରାମ, ଲକ୍ଷ୍ମଣ, ହନୁମାନ, ସୁଗ୍ରୀବ ଏବଂ ମାତା ସୀତାଙ୍କ ବାଲ୍ଯ ସ୍ବରୂପଙ୍କୁ ଅତିଥିମାନେ ପୁଷ୍ପମାଲ୍ଯ ପିନ୍ଧାଇ ପ୍ରସାଦ ଖୁଆଇଥିଲେ।ଦଶହରା ପୂଜା କମିଟିର ସଂଯୋଜକ ସୁରେଶ କେଜ୍ରିୱାଲ, ସଭାପତି ରାହୁଲ ଅଗ୍ରୱାଲ, ସମ୍ପାଦକ ପୱନ ଖେମାନୀ, କୋଷାଧ୍ୟକ୍ଷ ଗୌରବ ସିଂଘଲଙ୍କ ସମେତ ପୂର୍ବତନ ସଭାପତି ପବନ ଅଗ୍ରୱାଲ, ସଦସ୍ୟ ପ୍ରତୀକ ଅଗ୍ରୱାଲ, ହର୍ଷ ଖେଦାରିଆ, ଲଲିତ କେଜରିୱାଲ, ବିବେକ ପୋଦ୍ଦାର, ଦର୍ଷିତ ଠକ୍କର, ଗୌରବ ଅଗ୍ରୱାଲ, ପ୍ରତୀକ ଅଗ୍ରୱାଲ, ଅମରେନ୍ଦ୍ର ଚୌଧୁରୀ, କିସନ ଅଗ୍ରୱାଲ, ଦେବାଂଶ ଅଗ୍ରୱାଲ, ଭବାନୀ ସମାଲ, ରାହୁଲ ଅଗ୍ରୱାଲ, ସୌରଭ ଗୁପ୍ତାଙ୍କ ସମେତ ଅନ୍ୟାନ୍ୟ ବହୁ ସଦସ୍ୟ ଏହି ରାବଣ ଦହନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜିର ୫୫ ଫୁଟ ଉଚ୍ଚର ରାବଣ ଏବଂ ୫୦ ଫୁଟ ଉଚ୍ଚର କୁମ୍ଭକର୍ଣ୍ଣ ଦହନ ସହ ଦଶହରା ଉତ୍ସବ ଏବଂ ଶ୍ରୀରାମଙ୍କ ରାଜ୍ୟାଭିଷେକ ଉତ୍ସବ ସହିତ ଆତସବାଜି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଆତସବାଜି କାର୍ଯ୍ୟକ୍ରମରେ ଫାୟାର କ୍ରେକର ଏବଂ ଡିଜିଟାଲ୍ ଆଲୋକମାଳା ପ୍ରଦର୍ଶିତ ହୋଇଥିଲା। ସହରର ଟ୍ରାଫିକ ନିୟନ୍ତ୍ରଣ ସୁଚାରୁରୂପେ କରାଯାଇଛି ବୋଲି ମୁଖ୍ୟ ଅତିଥିଙ୍କ ସମେତ ଶ୍ରୀ ଦଶହରା ପୂଜା କମିଟି ପକ୍ଷରୁ ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି।


