ରାଉରକେଲା ୨୧/୧୦,(ଉତ୍କଳ ସମାଚାର) କର୍ତ୍ତବ୍ୟ ପାଳନ ସମୟରେ ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ସମଗ୍ର ଭାରତରେ ପୋଲିସ ସ୍ମୃତି ଦିବସ (ପୁଲିସ ସ୍ମାରକୀ ଦିବସ) ପାଳନ କରାଯାଏ। ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ ଲଦାଖର ହଟ୍ ସ୍ପ୍ରିଙ୍ଗସ୍ ଠାରେ ଚୀନ୍ ସୈନ୍ୟଙ୍କ ଦ୍ୱାରା ଆକ୍ରମଣରେ ଶହୀଦ ହୋଇଥିବା ୧୦ ଜଣ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନଙ୍କୁ ମନେ ପକାଇଥାଏ। ଲଦାଖରେ ୧୯୫୯ ମସିହା ହଟ୍ ସ୍ପ୍ରିଙ୍ଗସ୍ ଘଟଣାରେ ଭାରତୀୟ ପୋଲିସ ଚୀନ୍ ସୈନ୍ୟଙ୍କ ସହିତ ଅକ୍ଟୋବର ୨୧ ତାରିଖ ଦିନ ମୁହାଁମୁହିଁ ହୋଇଥିଲା ଏବଂ ସେଥିରେ ଭାରତୀୟ ପୋଲିସ୍ ଫୋର୍ସର ୧୦ ଯବାନ ଶହୀଦ ହୋଇଥିଲେ।୧୯୫୯ ମସିହା ଅକ୍ଟୋବର ୨୧ ତାରିଖକୁ ମନେପକାଇ ରାଉରକେଲା ପୋଲିସ୍ ପକ୍ଷରୁ ରିଜର୍ଭ ପୋଲିସ୍ ପଡିଆରେ ୬୭ତମ ଶହୀଦ ଦିବସ – ୨୦୨୬ ପାଳନ କରାଯାଇଛି। ଏହି ଅବସରରେ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ରେଲୱେ ଏସ୍.ପି. ତ୍ରୀନାଥ ପଟେଲଙ୍କ ସମେତ ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ନାୟକଙ୍କ ସମେତ ରାଉରକେଲା ପୋଲିସର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଶହୀଦ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୬୭ତମ ଶହୀଦ ସ୍ମୃତି ଦିବସରେ ରାଉରକେଲା ପୋଲିସର ଶହୀଦ ହୋଇଥିବା କନେଷ୍ଟବଳ ବେଣୁଧର ନାଏକ, ଏସ୍ଆଇ ଅଜିତ୍ ବର୍ଦ୍ଧନ, କନେଷ୍ଟବଳ ଲକ୍ଷ୍ମଣ କିଶାନ, ହୋମଗାର୍ଡ କାନ୍ଦରି ଲୋହାର, ଡକ୍ଟର ହାବିଲଦାର ବେଲହାମ ମିଞ୍ଜ, ହାବିଲଦାର ନାରାୟଣ ଚନ୍ଦ୍ର ସେଠୀ, କନେଷ୍ଟବଲ ଲରେନ୍ସ ଏକ୍କାଙ୍କୁ ଅମର ଜବାନ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ଶହୀଦମାନଙ୍କ ପରିବାର ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୭ତମ ଶହୀଦ ସ୍ମୃତି ଦିବସରେ ଏକ ପ୍ଯାରେଡ୍ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର ଶହୀଦ ଦିବସର ତାତ୍ପର୍ଯ୍ୟ ବିଷୟରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ ଓଡିଶାର ରାଜ୍ଯପାଳ ବ୍ରଜମୋହନ ରାମଙ୍କ ବାର୍ତ୍ତା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ୬୭ତମ ଶହୀଦ ସ୍ମୃତି ଦିବସ ଉପଲକ୍ଷେ ବାର୍ତ୍ତା ପାଠ କରିଥିଲେ। ରାଉରକେଲା ପୋଲିସ ପକ୍ଷରୁ ଶହୀଦ ହୋଇଥିବା ଯବାନମାନଙ୍କ ପରିବାରଙ୍କୁ ଆଜିର ୬୭ତମ ଶହୀଦ ସ୍ମୃତି ଦିବସରେ ଶହୀଦମାନଙ୍କୁ ସମ୍ମାନ ଜଣାଇ ପରିବାରଙ୍କୁ ସମ୍ମାନୀତ କରାଯାଇଥିଲା।

