ସମ୍ବଲପୁର,୨୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଆଜି ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଏକତ୍ରିତ ହୋଇ ‘ନାଗରିକଙ୍କ ପାଇଁ ସାଧୁତାର ଶପଥ’ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସୁଧାଂଶୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଅଶୋକ କୁମାର ଭୋଇ, ଡେପୁଟି କଲେକ୍ଟରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ସରକାରୀ ସେବାରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧ ବଜାୟ ରଖିବା ସହ ଦୁର୍ନୀତିମୁକ୍ତ ବ୍ୟବସ୍ଥା ଗଠନ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।ପ୍ରତିଜ୍ଞାରେ ଦୁର୍ନୀତିକୁ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଏକ ବଡ଼ ପ୍ରତିବନ୍ଧକ ବୋଲି ଉଲ୍ଲେଖ କରାଯାଇଥିଲା। ଏହାର ମୂଳୋତ୍ପାଟନ ପାଇଁ ସରକାର, ନାଗରିକ ଓ ଘରୋଇ କ୍ଷେତ୍ରକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ହେବ ବୋଲି ହାଯାଇଥିଲା।ଅଧିକାରୀ ଓ କର୍ମଚାରୀମାନେ ସତର୍କତା ଓ ସତ୍ୟନିଷ୍ଠାର ସହ ଦୁର୍ନୀତି ବିରୋଧରେ ଲଢ଼ିବା, ଆଇନର ଶାସନକୁ ପାଳନ କରିବା ଏବଂ ଲାଞ୍ଚ ନ ଦେବା କିମ୍ବା ନ ନେବାକୁ ଶପଥ ନେଇଥିଲେ। ନିଜ ଦାୟିତ୍ୱକୁ ନିଷ୍ଠା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବା, ଜନସାଧାରଣଙ୍କ ହିତରେ କାର୍ଯ୍ୟ କରିବା ଓ ବ୍ୟକ୍ତିଗତ ଚରଣରେ ସାଧୁତା ବଜାୟ ରଖିବାକୁ ମଧ୍ୟ ସେମାନେ ପ୍ରତିଜ୍ଞା କରିଥିଲେ। ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଦୃଷ୍ଟିକୁ ଆସିଲେ ତାହା ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ମଧ୍ୟ ଶପଥ ନିଆଯାଇଥିଲା।

