ସମ୍ବଲପୁର,୨୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଉଠାଇ ଏହାର ନିରପେକ୍ଷ ତଦନ୍ତ ସହ ସ୍ୱଚ୍ଛତାର ସହ ପ୍ରକ୍ରିୟା ପୁନଃ ତର୍ଜମା କରିବାକୁ ଦାବି ହୋଇଛି। ଏହି ଅନିୟମିତତା ଯୋଗୁଁ ସମୁଦାୟ ୭୮ ଜଣ ଶିକ୍ଷକ ଅବହେଳିତ ହୋଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସାଧାରଣ ସମ୍ପାଦକ ବବୃବାହନ ଭୋଇ ଅଭିଯୋଗ କରିଛନ୍ତି।
ସୋମବାର ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭୋଇ କହିଥିଲେ ଯେ, ସମ୍ବଲପୁର ଜିଲ୍ଲାରେ ପଦୋନ୍ନତି ପାଇଁ କୌଣସି ବିଜ୍ଞପ୍ତି ବା ନୋଟିଫିକେସନ ଜାରି ହୋଇନଥିଲା। ତଥାପି ପଦୋନ୍ନତି ପ୍ରକ୍ରିୟାରେ ବ୍ୟତିକ୍ରମ ହୋଇଥିବା ସେ ଅଭିଯୋଗ କରିଥିଲେ। “ଆମେ ଶିକ୍ଷକଙ୍କ ବିରୋଧୀ ନୋହୁଁ; ଆମର ଦାବି ହେଉଛି ପଦୋନ୍ନତି ପ୍ରକ୍ରିୟାର ପୁନଃ ତଦାରଖ କରାଯାଉ,” ବୋଲି ସେ କହିଥିଲେ।ଶିକ୍ଷକମାନଙ୍କ ଅଭିଯୋଗ ଅନୁଯାୟୀ, କୌଣସି ଶିକ୍ଷକଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ପଦକ୍ଷେପ ନେବାବେଳେ ତତ୍ପରତା ଦେଖାଯାଉଛି; କିନ୍ତୁ ପଦୋନ୍ନତି ସମୟରେ ନିୟମ ଓ ଯୋଗ୍ୟତାକୁ ଠିକ୍ ଭାବେ ବିଚାର କରାଯାଉନାହିଁ। ଏହାଦ୍ୱାରା ଅଭିଜ୍ଞ ଓ ଯୋଗ୍ୟ ଶିକ୍ଷକମାନେ ସେମାନଙ୍କ ପ୍ରାପ୍ୟ ସୁଯୋଗରୁ ବଞ୍ଚିତ ହେଉଥିବା ସହ ଶିକ୍ଷା ବିଭାଗରେ ଅସମାନତା ସୃଷ୍ଟି ହେଉଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ୪ ଏପ୍ରିଲ ୨୦୨୩ର ନିର୍ଦ୍ଦେଶକୁ ଉଲ୍ଲେଖ କରି ଶ୍ରୀ ଭୋଇ କହିଥିଲେ ଯେ, ପଦୋନ୍ନତି ସମ୍ପର୍କିତ ନିଷ୍ପତ୍ତି ନେବାବେଳେ ନିୟମାବଳୀ ଓ ସେବା ସର୍ତ୍ତାବଳୀ ଅନୁସରଣ କରିବା ସହ ସମସ୍ତ ଯୋଗ୍ୟ ଶିକ୍ଷକଙ୍କ ବିବରଣୀ ଯାଞ୍ଚ କରିବା ଆବଶ୍ୟକ। ଓସିଏ ଓ ସିସିଏ ରୁଲ୍ସ, ୧୯୬୨ର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରି ସେହି ନିୟମ ଅନୁଯାୟୀ ତଦନ୍ତ କରି ପଦକ୍ଷେପ ନେବାକୁ ଫେଡେରେସନ ଦାବି କରିଛି।
ସାମ୍ବାଦିକ ସମ୍ମିଳନୀରେ ଶିକ୍ଷୟିତ୍ରୀ ବୀଣାପାଣି ବେହେରା ନିଜ ଅନୁଭୂତି ବର୍ଣ୍ଣନା କରି କହିଥିଲେ ଯେ, ତାଙ୍କ ପୋଷ୍ଟିଂ ଏବେ ମଧ୍ୟ ୫ମ ଗ୍ରେଡ୍ରେ ରହିଛି ଏବଂ ସେ ହୀନମନ୍ୟତାର ଶିକାର ହୋଇଛନ୍ତି। ତ୍ରୁଟି କେଉଁଠି ହୋଇଛି, ତାହା ତର୍ଜମା କରିବା ଦରକାର ବୋଲି ସେ କହିଥିଲେ। ଶିକ୍ଷୟିତ୍ରୀ ବିଜୟିନୀ ପ୍ରଧାନ ଶିକ୍ଷକ ସମାଜରେ ଏକତାର ଅଭାବ ନେଇ ଦୁଃଖ ପ୍ରକାଶ କରିଥିଲେ। ଏକତ୍ରିତ ହୋଇ ଏହି ବେନିୟମ କାର୍ଯ୍ୟର ବିରୋଧ କରିବାକୁ ସେ ଆହ୍ୱାନ ଦେଇଥିଲେ। ପଦୋନ୍ନତି ତାଲିକା ଓ ସମ୍ପୃକ୍ତ ନିଷ୍ପତ୍ତିଗୁଡ଼ିକର ଯାଞ୍ଚ, ଅନିୟମିତତା ହୋଇଥିଲେ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଏବଂ ପ୍ରକ୍ରିୟାକୁ ସ୍ୱଚ୍ଛତାର ସହ ପୁନଃ ସମ୍ପନ୍ନ କରିବାକୁ ଫେଡେରେସନ କର୍ମକର୍ତ୍ତାମାନେ ଦାବି କରିଥିଲେ। ସମ୍ମିଳନୀରେ ମହେଶ୍ୱର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ମୋଜୀବୁଦ୍ଧିନ ଖାନ, ପ୍ରଦୀପ ସାହୁ, ମାଳା ଡାୟରେ, ରଞ୍ଜୁ ରାଣୀ ପଟ୍ଟନାୟକ, ବୀଣାପାଣି ବେହେରା ଓ ସତ୍ୟନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଫେଡେରେସନ ପକ୍ଷରୁ ସାମ୍ବାଦିକ ମାନଙ୍କୁ ପ୍ରଶଂସା ପତ୍ର ସହିତ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I

