ସମ୍ବଲପୁର,୨୬/୧୦(ଉତ୍କଳ ସମାଚାର),(ସରୋଜ ସାହୁ): ଦାନିପାଲିସ୍ଥିତ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଆଶ୍ୱିନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି ରବିବାର ଦିନ ବିଶେଷ ପୂଜା, ହୋମଯଜ୍ଞ, ମହାଆଳତି ଓ ଧ୍ୱଜାରୋହଣ ସହ ରାମଚଣ୍ଡୀ ଦିବସ ପାଳିତ ହୋଇଥିଲା।ସୂଚନାଯୋଗ୍ୟ, ପ୍ରାୟ ୧୩୦୦ ମସିହାରେ ଏହି ତିଥିରେ ବୌଦ୍ଧ ଜିଲ୍ଲାର ସରସରାସ୍ଥିତ ରାମଚଣ୍ଡୀଙ୍କ ପ୍ରଥମ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ସେହି ସ୍ମୃତିରେ ଏହି ତିଥିକୁ ରାମଚଣ୍ଡୀ ଦିବସ ଭାବେ ପାଳନ କରାଯାଉଛି।ଅବସରରେ ପୂଜକମାନେ ରଣେଶ୍ୱର ରାମଚଣ୍ଡୀଙ୍କୁ ନୂତନ ବସ୍ତ୍ରରେ ସଜ୍ଜିତ କରିବା ପରେ ସକାଳେ ଦେବଦେବୀଙ୍କ ସ୍ନାନ, ହୋମଯଜ୍ଞ ଓ ମହାଆଳତି କରିଥିଲେ। ପରେ ମନ୍ଦିର ଶିଖରରେ ନୂତନ ଧ୍ୱଜା ଲଗାଯାଇଥିଲା। ଶଙ୍ଖ, ଘଣ୍ଟ ଓ ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ମୁଖରିତ ହୋଇଥିଲା। ଦେବବ୍ରତ ବାରିକ ମନ୍ଦିର ଶିଖରରେ ଧ୍ୱଜା ଲଗାଇଥିଲେ। ଏହି ଅବସରରେ ମା’ ଭକ୍ତମାନଙ୍କୁ ବିଶେଷ ଦର୍ଶନ ଦେଇଥିଲେ।ପୂଜା ଓ ହୋମଯଜ୍ଞ ପୂଜକ ଦେବୀପ୍ରସାଦ ଭୋଇ ଏବଂ ସୁଦାମ ପ୍ରଧାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଶ୍ରୀକୃଷ୍ଣ ପ୍ରଧାନ ଓ ସୁକାନ୍ତି ଗଡ଼ତିଆ ହୋମଯଜ୍ଞର କର୍ତ୍ତା ହୋଇଥିଲେ। ସଭାପତି କୃପାସିନ୍ଧୁ ଖମାରୀ ରାମଚଣ୍ଡୀ ଦିବସର ମହତ୍ତ୍ୱ ବିଷୟରେ ବକ୍ତବ୍ୟ ରଖିଥିବା ବେଳେ ଅକ୍ଷୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ସମାରୁ ବାରିକ, ପ୍ରଦୀପ କୁମାର ସାହୁ, ଆନନ୍ଦ କୁମାର ପ୍ରଧାନ, ମୁରଲୀ ପ୍ରଧାନ, ଜଟାଭୂଷଣ ସାହୁ, ଟଙ୍କଧର ବାରିକ, ଦେବୋତ୍ତମ ପ୍ରଧାନ, ସୁପ୍ରଭା ପ୍ରଧାନ, କ୍ଷୀରୋଦ ପ୍ରଧାନ, ସରୋଜ ସାହୁ, ଅଭିରାମ ଖମାରୀ, ରଘୁମଣୀ ପାତ୍ର ଓ ନୋବେଲ ପ୍ରଧାନଙ୍କ ସମେତ ଅନେକ ଭକ୍ତ ଉପସ୍ଥିତ ଥିଲେ।

